ନାଇଜେରିଆ : ୩୦୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଲେ ଅଜଣା ବନ୍ଧୁକଧାରୀ

ଆବୁଜା: ନାଇଜେରିଆର କୁରିଗାରେ ଥିବା ଏକ ସ୍କୁଲ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବା ପରେ ସ୍କୁଲରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆକ୍ରମଣକାରୀ ପିଲାମାନଙ୍କୁ ଅପହରଣ କରିବାକୁ ମାତ୍ର ୫ ମିନିଟ୍ ସମୟ ନେଇଥିଲେ। ଆକ୍ରମଣକାରୀମାନେ ପିଲାମାନଙ୍କୁ ନେଇ କେଉଁଠି ଯାଇଛନ୍ତି କିମ୍ବା ଲୁଚି ରହିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ଅପହୃତ ପିଲାଙ୍କ ସମ୍ପର୍କରେ କୌଣସି ସୂଚନା ନ ମିଳିବାରୁ ପରିବାର ଲୋକେ ଅତ୍ୟନ୍ତ ଆତଙ୍କିତ ହୋଇପଡ଼ିଛନ୍ତି ।

ଇସଲାମିକ ଉଗ୍ରବାଦୀ ଏବଂ ସଶସ୍ତ୍ର ଗ୍ୟାଙ୍ଗର ଗଡ଼ କୁହାଯାଉଥିବା ଉତ୍ତର-ପଶ୍ଚିମ ନାଇଜେରିଆରେ ଏହି ଘଟଣା ଘଟିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁ ଅପହରଣ ଘଟଣାର ଦାୟିତ୍ୱ ଏପର୍ଯ୍ୟନ୍ତ କେହି ନେଇନାହାନ୍ତି। ଅପହୃତ ଶିଶୁଙ୍କ ମଧ୍ୟରୁ ୧୦୦ ଜଣଙ୍କ ବୟସ ୧୨ ବର୍ଷ କିମ୍ବା ତା’ଠାରୁ କମ୍ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଗତ ସପ୍ତାହ ପରେ ନାଇଜେରିଆର କୁରିଗାରେ ଏହା ହେଉଛି ତୃତୀୟ ଗଣ ଅପହରଣ। ଏହି ତିନୋଟି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଏହା ପୂର୍ବରୁ ଉତ୍ତର-ପଶ୍ଚିମ ରାଜ୍ୟ ସୋକୋଟୋର ଏକ ସ୍କୁଲରୁ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ଏକ ଗ୍ୟାଙ୍ଗ ୧୫ ଜଣ ପିଲାଙ୍କୁ ଅପହରଣ କରି ନେଇଥିଲା। ପରବର୍ତ୍ତୀ ସମୟରେ ଉତ୍ତର-ପୂର୍ବ ବୋର୍ନୋ ରାଜ୍ୟରୁ ୨୦୦ ଜଣ ଙ୍କୁ ଅପହରଣ କରାଯାଇଥିଲା, ଯେଉଁଥିରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ।

ସମ୍ବନ୍ଧିତ ଖବର