ପିଓକେରେ ଠୁଳ ହୋଇଛନ୍ତି ୩୦୦ରୁ ଅଧିକ ଆତଙ୍କବାଦୀ : ଗୁଇନ୍ଦା ରିପୋର୍ଟ

ଶ୍ରୀନଗର : ଭାରତୀୟ ସେନାର ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ପାକିସ୍ତାନ ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି । ପାକ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବରଗୁଡ଼ିକରେ ଏବେ ପ୍ରାୟ ୩୦୦ ଆତଙ୍କବାଦୀ ରହିଛନ୍ତି । ସୁଯୋଗ ମିଳିବା ମାତ୍ରେ ସେମାନେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଦେଇଛି ।

ଏହି ଆତଙ୍କବାଦୀଙ୍କ ମଧ୍ୟରେ ଆଫଗାନିସ୍ଥାନରୁ ଆସିଥିବା ଆତଙ୍କବାଦୀ ମଧ୍ୟ ଅଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ପାକିସ୍ତାନ ସମର୍ଥିତ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ୍, ଲସ୍କର-ଇ-ତୋଏବା ଓ ଜମାତ୍-ଇ-ଇସ୍ଲାମି ଶତାଧିକ ତାଲିମପ୍ରାପ୍ତ ଆତଙ୍କବାଦୀ ପିଓକେ ଅଧୀନସ୍ଥ ରାଓ୍ଵାଲାକୋଟର ତ୍ରାନୋତି ଓ ପୋଥିବାଲା ଅଞ୍ଚଳରେ ରହିଥିବା ଏକାଧିକ ଲଞ୍ଚପ୍ୟାଡରେ ଅବସ୍ଥାନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି ।

ଗତ ଡିସେମ୍ବର ୨୭ ତାରିଖରେ ଭାରତୀୟ ସେନା ପିଓକେରେ ପ୍ରବେଶ କରି କେତେକ ଆତଙ୍କବାଦୀଙ୍କ ସହ ୫ ପାକିସ୍ତାନୀ ସେନାଙ୍କୁ ମାରିଦେଇଥିଲା । ସେହିପରି ସେପ୍ଟେମ୍ବର ମାସରେ ସେନା ପିଓକେରେ ପ୍ରବେଶ କରି ଏକ ବଡ଼ ଧରଣର ଅପରେସନ କରିଥିଲା ।

ସେନା ପିଓକେ ମଧ୍ୟରେ ରହିଥିବା ପ୍ରାୟ ୧୮ଟି ଲଞ୍ଚପ୍ୟାଡ୍ ଉପରେ ଚଢ଼ାଉ କରି ସେଗୁଡ଼ିକୁ ଧ୍ୱଂସ କରିବା ସହ ମାଟିରେ ମିଶାଇ ଦିଆଯାଇଥିଲା । ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ଏକାଧିକ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର