ରୋଷେଇ ଘରୁ ମିଳିଲା ୭କୋଟି ଟଙ୍କାର ସୁନାର କଏନ, ଦମ୍ପତି ହେଲେ ମାଲାମାଲ

ନୂଆଦିଲ୍ଲୀ: କେତେବେଳେ ଯେ କାହାର ଭାଗ୍ୟରେଖା ଖୋଲିବ ତାହା କହି ହେବ ନାହିଁ। ନିକଟରେ ଏକ ଦମ୍ପତି ମାଲାମାଲ ହୋଇଯାଇଛନ୍ତି। କାରଣ ସେମାନେ ବସବାସ କରୁଥିବା ଘର ଭିତରୁ ୭କୋଟି ଟଙ୍କାର ସୁନା କଏନ ମିଳିଛି। ମିଳିଥିବା ସୁନା କଏନକୁ ଦୁର୍ଲଭ ବୋଲି କୁହାଯାଉଛି। ତେବେ ଉକ୍ତ ଦମ୍ପତି ଘର ମରାମତି କରୁଥିବା ବେଳେ ଏହି ସୁନା କଏନ ମିଳିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ବ୍ରିଟେନର ନର୍ଥ ୟାର୍କସାୟରରେ ମହଜୁଦ ଥିବା ଘରେ ଦମ୍ପତି ବସବାସ କରୁଥିଲେ। ସେ ରୋଷେଇ ଘରର ମରାମତି ପାଇଁ ଖୋଳାଖୋଳି ଆରମ୍ଭ କରିଥିଲେ। ଏହି ସମୟରେ ଘର ଚଟାଣ ଠାରୁ ୬ଇଞ୍ଚ ତଳେ ଏକ ପାତ୍ରରେ ସୁନା କଏନ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲେ। ଏହି ପାତ୍ରରେ ୨୬୪ଟି ସୁନାର କଏନ ଥିବା ଜଣାପଡ଼ିଥିଲା। ଯାହାର ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି କଏନ ୧୬୧୦ରୁ ୧୭୨୭ ମଧ୍ୟର ଥିବା ଜଣାପଡ଼ିଛି।

ଏହି କଏନ ସମ୍ପର୍କରେ ଜାଣିବା ପରେ ଦମ୍ପତି ଲଣ୍ଡନରେ ଥିବା ଆକସନ କମ୍ପାନି ସହିତ ସମ୍ପର୍କ କରିଥିଲେ। ଏହାପରେ କମ୍ପାନି ସହିତ ଥିବା ଲୋକେ ଘରେ ପହଞ୍ଚି କଏନକୁ ଜବତ କରିଥିଲେ। ଏହି କଏନ ୩୦୦ବର୍ଷ ପୁରୁଣା ବୋଲି କୁହାଯାଉଛି। ତେବେ କଏନ ଯେଉଁ ଦମ୍ପତିଙ୍କୁ ମିଳିଛି ସେମାନେ ନିଜର ପରିଚୟକୁ ସାର୍ବଜନୀନ କରି ନାହାନ୍ତି। ସେମାନେ ଏହି ଘରେ ଗତ ୧୦ ବର୍ଷ ହେବ ରହି ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର