ଦେଶରେ ଆକ୍ରାନ୍ତ ସଂଖ୍ୟା ୩ ହଜାର ଟପିଲା: ୭୨ ମୃତ, ୧୪ ରାଜ୍ୟରେ ବିପଦ ବଢ଼ୁଛି

ଦିଲ୍ଲୀରେ ୩୮୬, ମହାରାଷ୍ଟ୍ରରେ ୪୨୩ ଆକ୍ରାନ୍ତ, ୧୮୪ ଜଣ ସୁସ୍ଥ ହୋଇ ଫେରିଛନ୍ତି

ନୂଆଦିଲ୍ଲୀ: ଦେଶର ପ୍ରାୟ ସବୁ ଅଂଚଳରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଆଜି ଆକ୍ରାନ୍ତ ସଂଖ୍ୟା ୩୦୭୨ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଛି। ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତ ସମ୍ମିଳନୀରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ୧୪ଟି ରାଜ୍ୟରେ ବିପଦ ବଢ଼ିବାରେ ଲାଗିଛି। ବ୍ୟାପକ କଟକଣା ଏବଂ ସାମାଜିକ ଦୂରତ୍ବ ନେଇ ସଚେତନତା ସତ୍ତ୍ବେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଶହରୁ ଅଧିକ ନୂଆ ମାମଲା ଠାବ ହୋଇଛି ଏବଂ ଆକ୍ରାନ୍ତ ସଂଖ୍ୟା ୩ ହଜାର ଟପି ଯାଇଛି। ଅନ୍ୟପକ୍ଷରେ ୧୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ମଧ୍ୟ ଆଶ୍ବସ୍ତିର କାରଣ ହୋଇଛି।

ଜମାତ ପାଇଁ ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର କେତେକ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଥିବାରୁ ସେଠାରେ ଯୁଦ୍ଧସ୍ତରରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ଅଂଚଳ ସିଲ୍‌ କରି ସାନିଟାଇଜ୍‌ କାର୍ଯ୍ୟ ଚାଲିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୬୬ରେ ପହଞ୍ଚିଛି ଏବଂ ସେଥିରୁ ୬୪୭ଟି ମାମଲା ତବଲିଗି ଜମାତ ସମ୍ମିଳନୀ ସହ ସିଧାସଳଖ ଜଡ଼ିତ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୨୩ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତ ତାଲିକାରେ ଏହା ଶୀର୍ଷରେ ରହିଛି। ଅନ୍ୟପକ୍ଷରେ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ରହିଛି। କେରଳର ବିଭିନ୍ନ ଅଂଚଳକୁ ସିଲ୍‌ କରି ପର୍ଯ୍ୟାୟକ୍ରମେ ସାନିଟାଇଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଲ୍ଲୀରେ ୭୫ଟି ନୂଆ ମାମଲା ଆସିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ିଯାଇ ୩୮୬ରେ ପହଞ୍ଚିଛି। ତବଲିଗି ଜମାତ ପାଇଁ ଦିଲ୍ଲୀରେ କେତେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ୁଥିବାରୁ ଘରକୁ ଘରୁ ବୁଲି ସ୍ବାସ୍ଥ୍ୟକର୍ମୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି। ମହାରା‌ଷ୍ଟ୍ରରେ ସଂଖ୍ୟାରେ ସୁରକ୍ଷା କର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ନିଜାମୁଦ୍ଦିନ ମସ୍‌ଜିଦ୍‌ ମାମଲା ପରେ ଦିଲ୍ଲୀରେ ଜଟିଳ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରଣନୀତିରେ କାମ କରୁଛନ୍ତି। ଏଠାରେ ଏବେ ବି ଜମାତୀଙ୍କୁ ଠାବ କରିବା ପାଇଁ ଶତାଧିକ ସ୍ଥାନରେ ଚଢ଼ଉ ଚାଲିଛି। ଦିଲ୍ଲୀରେ କୋଭିଡ ୧୯ ମହାମାରୀ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ଜମାତୀଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ଅଚାନକ ବଢ଼ିଯାଇଛି। ଏ ପର୍ଯ୍ୟନ୍ତ ୧୬୧ ମାମଲା ସାମ୍ନାକୁ ଆସିଛି ଏବଂ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଣ୍ଡାମାନ ନିକୋବରରେ ଏ ପର୍ଯ୍ୟନ୍ତ ୧୦ଟି ମାମଲା ଏବଂ ବିହାରରେ ୨୯ଟି ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରଶାସିତ ପ୍ରଦେଶ ଚଣ୍ଡିଗଡ଼ରେ ୧୮ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଗୋଆରେ ୬ଟି ମାମଲା ଜଣାପଡ଼ିଛି।

ଗୁଜରାଟରେ ଏ ପର୍ଯ୍ୟନ୍ତ ୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ କରୋନାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି । ହରିୟାଣାରେ ୪୯ଟି ମାମଲା ସାମ୍ନାକୁ ଆସିଛି। ହିମାଚଳ ପ୍ରଦେଶରେ ୮ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଜମ୍ମୁ କାଶ୍ମୀରରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି। କର୍ଣ୍ଣାଟକରେ ଭାଇରସ୍‌ ଯୋଗୁଁ ୧୩୮ ସଂକ୍ରମିତ ହୋଇଛନ୍ତି ଏବଂ ଏଠାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଜମାତୀଙ୍କ ସହ ସଂପର୍କରେ ଆସିବା ୫ ଶହରୁ ଅଧିକ ଲୋକଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌କୁ ପଠାଇ ଦେଇଛନ୍ତି। ଲଦାଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ପଂଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୫୩ରେ ପହଞ୍ଚିଛି ଏବଂ ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ୧୭୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ୨ ଶହରୁ ଅଧିକ ଜମାତୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜମାତରୁ ଫେରିଥିବା ଲୋକଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି। ତେଲେଙ୍ଗାନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ମାତ୍ର ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଉତ୍ତର ପ୍ରଦେଶରେ ୧୭୪ ମାମଲା ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର