କାଇରୋ: ଲକ୍ସର୍ର ଦାକ୍ଷିଣାତ୍ୟ ନଗରରେ ଗୋଟାଏ ୩୦୦୦ ବର୍ଷ ପୁରାତନ ‘ପ୍ରାଚୀନ ସ୍ୱର୍ଣ୍ଣିମ ନଗର’ ଉତ୍ଖନନ କରାଯାଇଛି ବୋଲି ଗୁରୁବାର ଦିନ ପ୍ରତ୍ନତାତ୍ତ୍ୱିକ ଅଭିଯାନ କହିଛି। ବାଳକ ରାଜା ତୁତାନଖାମେନ୍ଙ୍କ ସମାଧି ଚିହ୍ନଟ କରାଯିବା ପର ଠାରୁ ଏହି ନଗରୀର ସନ୍ଧାନ ମିଳିବା ଇଜିପ୍ଟରେ ଆଉ ଏକ ଉଲ୍ଲେଖନୀୟ ଘଟଣା ହୋଇପାରେ ବୋଲି କୁହାଯାଉଛି।
‘ଆଟେନ୍’ ନାମକ ଏହି ବିସ୍ମୃତ ନଗରୀକୁ ପ୍ରାଚୀନ ମିଶର୍ର ୧୮ତମ ରାଜବଂଶର ନବମ ରାଜା ତୃତୀୟ ଆମେନ୍ହୋତେପ୍ ସ୍ଥାପନ କରିଥିଲେ ବୋଲି ପ୍ରତ୍ନତାତ୍ତ୍ୱିକ ଅଭିଯାନ ଏକ ବିବୃତିରେ କହିଛି। ଏହି ରାଜବଂଶ ଖ୍ରୀଷ୍ଟପୂର୍ବ ୧୩୯୧ରୁ ୧୩୫୩ ପର୍ଯ୍ୟନ୍ତ ମିଶରରେ ରାଜତ୍ୱ କରିଥିଲା। ଲକ୍ସର୍ର ପଶ୍ଚିମ ତଟରେ ଅବସ୍ଥିତ ଏହି ନଗରୀ ସେ ଅମଳର ସର୍ବ ବୃହତ୍ ପ୍ରଶାସନିକ ଏବଂ ଶିଳ୍ପ ବସତି ଥିବା ପରି ମନେହେଉଛି।
Image Courtesy of ABC Newsଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଏହି ଆବିଷ୍କାରକୁ ‘ଅସାଧାରଣ’ ଏବଂ ମିଶରର ପ୍ରାଚୀନ ସଭ୍ୟତାକୁ ଭଲଭାବେ ବୁଝିବାକୁ ମୂଲ୍ୟବାନ ସୂଚନାର ଉତ୍ସ କହି ଇଜିପ୍ଟିଓଲୋଜିଷ୍ଟ୍ମାନେ ପ୍ରଶଂସାମୁଖର ହୋଇ ଉଠିଛନ୍ତି।
ରାଜା ତୃତୀୟ ରାମ୍ସେସ୍ ଏବଂ ତୃତୀୟ ଆମେନ୍ହୋତେପ୍ଙ୍କ ସମାଧି ମନ୍ଦିର ମଧ୍ୟସ୍ଥ ଏହି ଅଞ୍ଚଳରେ ସେପ୍ଟେମ୍ବର ମାସରେ ପ୍ରତ୍ନତତ୍ତ୍ୱବିତ୍ମାନେ ଉତ୍ଖନନ ଆରମ୍ଭ କରିଥିଲେ। ରାଜା ତୁତାନଖାମେନ୍ଙ୍କ ସମାଧି ମନ୍ଦିର ଠାବ କରିବା ଥିଲା ଏହି ଉତ୍ଖନନ ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି ଏହି ବିବୃତିରେ ଉଲ୍ଲେଖ ଅଛି।
ଉତ୍ଖନନର କେଇ ସପ୍ତାହ ପରେ ସେ ଅଞ୍ଚଳ ଚାରିଆଡ଼େ ମାଟି ଇଟାରେ ତିଆରି ଘର ସବୁ ବାହାରିଥିଲା। ବାସ୍ତବିକ ଏହା ଥିଲା ଭଲ ଅବସ୍ଥାରେ ସଂରକ୍ଷିତ ଥିବା ଗୋଟାଏ ବଡ଼ ନଗରୀ। ଉଚ୍ଚ କାନ୍ଥ ଥିବା ଏହି ନଗରୀର କୋଠରିମାନଙ୍କରେ ଦୈନନ୍ଦିନ ଜୀବନରେ ଦରକାର ହେଉଥିବା ଉପକରଣ ସବୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/golden.jpg)