ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ୍ ବିରୋଧରେ ଏହାର ଆକ୍ରମଣକୁ ଜୋରଦାର କରିଛି। ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଭୟଙ୍କର ବୋମାବର୍ଷା ଜାରି ରଖିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ପଶିଥିବା ହମାସ ଆତଙ୍କବାଦୀମାନେ ସଂହାର ଲୀଳା ଜାରି ରଖିବା ସହ ଗାଜାରୁ ରକେଟ୍ ମାଡ଼ ଜାରି ରଖିବାରେ ସକ୍ଷମ ହୋଇଛନ୍ତି। ପାଖାପାଖି ୧୫୦ ଇସ୍ରାଏଲୀ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ୍କୁ ଅପହରଣ କରିନେଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ସେନା ଗାଜାରେ ପଶି ଭୟଙ୍କର ଆକ୍ରମଣ କରିବାପାଇଁ ପ୍ରସ୍ତୁତି ଚଳାଇଛି। ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଘରକୁ ଘର ତଲାସୀ ପାଇଁ ଯୋଜନା ହେଉଛି। ଏବେ ପର୍ଯ୍ୟନ୍ତ ଇସ୍ରାଏଲୀ ସେନା ଆକାଶ ମାର୍ଗରୁ ଏବଂ ଗାଜା ବାହାରୁ ଆକ୍ରମଣ କରୁଥିଲା। କିନ୍ତୁ ଆଗକୁ ଗାଜାରେ ପଶି ଆକ୍ରମଣ କରାଯିବ ବୋଲି ଇସ୍ରାଏଲ ସଙ୍କେତ ଦେଇସାରିଛି। ଗାଜା ସୀମାରେ ଏବେ ୩ ଲକ୍ଷ ସୈନିକ ମୁତୟନ ହୋଇଛନ୍ତି। ଇସ୍ରାଏଲ ଆଜି ହମାସ ଆତଙ୍କବାଦୀ ଗୋଷ୍ଠୀକୁ କଡ଼ା ଚେତାବନୀ ଦେଇଛି। ହମାସ ପଣବନ୍ଦୀ ରଖିଥିବା ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ଗାଜାକୁ କୌଣସି ମାନବୀୟ ସହାୟତା ପହଞ୍ଚିବ ନାହିଁ ବୋଲି ଇସ୍ରାଏଲ ଚେତାଇ ଦେଇଛି। ଇସ୍ରାଏଲ ଶକ୍ତିମନ୍ତ୍ରୀ କହିଛନ୍ତି, ଇସ୍ରାଏଲରୁ ଅପହୃତ ନାଗରିକମାନେ ଘରକୁ ନଫେରିବା ଯାଏଁ ଗାଜାରେ ଇଲେକ୍ଟ୍ରିକ୍ ସୁଇଚ୍ ଅନ୍ ହେବନି କି ପାଣି ଟ୍ୟାପ୍ ଖୋଲିବନି। ଇନ୍ଧନ ଟ୍ରକ୍ ବି ଗାଜାକୁ ଯିବନି।
ଉଲ୍ଲେଖଯୋଗ୍ୟ, ଗାଜାରେ ଅତି ଭୟଙ୍କର ସଙ୍କଟ ଉପୁଜିଛି। ହସ୍ପିଟାଲ୍ଗୁଡ଼ିକୁ ଶବଗୃହରେ ପରିଣତ ନକରିବାପାଇଁ ଗାଜାକୁ ଇନ୍ଧନ ଯୋଗାଣ କରିବାକୁ ରେଡ୍କ୍ରସ୍ ପକ୍ଷରୁ ଇସ୍ରାଏଲକୁ ଅନୁରୋଧ କରାଯାଇଛି। କିନ୍ତୁ ଇସ୍ରାଏଲ ହମାସ ଆନ୍ଦୋଳନକୁ ଶେଷ କରିବାପାଇଁ ଶପଥ ନେଇଛି। ଶନିବାର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅଧିକାଂଶ ଲୋକଙ୍କୁ ସେମାନଙ୍କ ଘରେ ପଶି ଗୁଳି କରି ହତ୍ୟା କରାଯାଇଛି। ସେହିପରି ରାସ୍ତାଘାଟ ଏବଂ ଡାନ୍ସ ପାର୍ଟିରେ ବି ଲୋକଙ୍କୁ ହତ୍ୟା କରାଯାଇଛି। ଅନ୍ୟପକ୍ଷେ ଗାଜାରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଗାଜା କର୍ତ୍ତୃପକ୍ଷ କହିଛନ୍ତି।
ଇତିମଧ୍ୟରେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତେଲ୍ ଅଭିଭ୍ରେ ଭେଟିଛନ୍ତି। ବ୍ଲିଙ୍କେନ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି। ବ୍ଲିଙ୍କେନ କହିଛନ୍ତି, କେବଳ ଜଣେ କୂଟନୀତିଜ୍ଞ ଭାବେ ନୁହଁ, ମୁଁ ଜଣେ ଇହୁଦି ଭାବେ ମଧ୍ୟ ଇସ୍ରାଏଲ ଆସିଛି। ମୋ ଜେଜେବାପା ହୋଲକାଷ୍ଟରୁ ବର୍ତ୍ତି ଯାଇଥିଲେ। ଇସ୍ରାଏଲବାସୀଙ୍କ ସହ ଆମେରିକା ଦୃଢ଼ ଭାବେ ରହିଛି ବୋଲି ସେ ଘୋଷଣା କରିଥିଲେ। ଇସ୍ରାଏଲ୍ରେ ହମାସର ବର୍ବରତା ଏହାକୁ ତା’ର ଆତ୍ମାର ଅନ୍ଧକାର ଆଡ଼କୁ ଟାଣିନେବ ଏବଂ ଏଥିରୁ ହମାସକୁ କେହି ରକ୍ଷା କରିପାରିବେ ନାହିଁ ବୋଲି ବ୍ଲିଙ୍କେନ କହିଛନ୍ତି।