ନୂଆଦିଲ୍ଲୀ: ମତ୍ସ୍ୟଜୀବୀ ଓ ଅନ୍ୟମାନଙ୍କୁ ମିଶାଇ ଭାରତୀୟ ଜେଲରେ ମୋଟ୍ ୩୦୭ ଜଣ ପାକିସ୍ତାନୀ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଜା କାଟି ସାରିଛନ୍ତି । ସଜା କାଟି ସାରିଥିବା ଏହି ୫୬ ଜଣଙ୍କ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ନେଇ ସରକାର ପାକିସ୍ତାନ ସରକାର ସହିତ ଯୋଗାଯୋଗରେ ରହିଛନ୍ତି। ମାତ୍ର ପାକିସ୍ତାନ ସରକାର ଭାରତୀୟ ଜେଲରେ ଥିବା ସେମାନଙ୍କ ନାଗରିକମାନଙ୍କୁ ଚିହ୍ନଟ କରିବାକୁ ମନା କରି ଦେଇଥିବାରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ପାରି ନାହିଁ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ କୋର୍ଟରେ କୁହାଯାଇଛି। ତେବେ ସଜା କାଟିଥିବା ସମସ୍ତଙ୍କୁ ମୁକ୍ତି ଦିଆଯିବ ନାହିଁ। ଏହି ପଦକ୍ଷେପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗ୍ରହଣ କରାଯାଇଛି ବୋଲି ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଜରିଆରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି ଯେ ସଜା କାଟି ସାରି ଭାରତୀୟ ଜେଲରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ପାକିସ୍ତାନ ପଠାଇବା ନେଇ ସରକାର ପାକିସ୍ତାନ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଯେଉଁ ୫୬ ଜଣ ପାକିସ୍ତାନୀ ନାଗରିକ ସଜା କାଟି ସାରିବା ପରେ ମଧ୍ୟ ଭାରତୀୟ ଜେଲରେ ଅଛନ୍ତି ବୋଲି କୁହାଯାଉଛି, ସେମାନଙ୍କ ଜାତୀୟତା ଚିହ୍ନଟ ହୋଇ ପାରୁ ନାହିଁ। ଯେହେତୁ ପାକିସ୍ତାନ ସରକାର ସେମାନଙ୍କୁ ଚିହ୍ନଟ କରୁନାହିଁ , ସେମାନଙ୍କ ମୁକ୍ତି ନେଇ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନାହିଁ। ସେମାନଙ୍କ ଜାତୀୟତା ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ ଯେ ୨୦୦୫ ମସିହାରୁ ସର୍ବୋଚ୍ଚ ନ୍ୟାୟାଳୟ ପାକିସ୍ତାନୀ ବନ୍ଦୀମାନଙ୍କ ପ୍ରସଙ୍ଗକୁ ତର୍ଜମା କରୁଛି ଓ ସମୟ ବ୍ୟବଧାନରେ ବିଭିନ୍ନ ନିର୍ଦ୍ଦେଶାନାମା ମଧ୍ୟ ଦେଉଛି। ଗୃହମନ୍ତ୍ରଣାଳୟ ପକ୍ଷରୁ ସର୍ବାଚ୍ଚ ନ୍ୟାୟାଳୟରେ ଏ ନେଇ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି , ସେ ପରିପ୍ରେକ୍ଷୀରେ ଆବେଦନକାରୀ ଜେକେଏନ ପିପି ନେତା ଭିମ ସିଂହ ଓ ଆଇନଜୀବୀ ପ୍ରବୀଣ କୁମାରଙ୍କ ମତାମତ ଆଗତ କରି ଜଷ୍ଟିସ ଏ କେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ ୩ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି।