ସିକିମ୍: ବେଆଇନ୍ ଭାବେ ଭାରତକୁ ପ୍ରବେଶ କରୁଥିବା ଅଭିଯୋଗରେ ସୋମବାର ଆସାମର ଗୌହ୍ଵାଟୀ ରେଳବାଇ ଷ୍ଟେସନ୍ରେ ୩୧ ଜଣ ବାଙ୍ଗ୍ଲାଦେଶୀଙ୍କୁ ଗିରଫ କରାଯାଇଛି। ରେଳବାଇ ପୁଲିସ୍ ପକ୍ଷରୁ ଜାଣିବାକୁ ମିଳିଛି ଯେ ଏହି ବାଙ୍ଗ୍ଲାଦେଶୀ ଦଳ କାଞ୍ଚନଜଙ୍ଗ ଏକ୍ସପ୍ରେସ୍ରେ ସୋମବାର ସକାଳୁ ତ୍ରିପୁରାର ଅଗରତାଲା ଯିବା ପାଇଁ ଚଢ଼ିଥିଲେ। ସେହି ସମୟରେ ସେମାନେ ପୁଲିସ୍ ହାତରେ ଧରାପଡ଼ିଥିଲେ। ପୁଲିସ୍ ସେମାନଙ୍କୁ ଧରିବା ପରେ ଭାରତୀୟ ବୋଲି ପ୍ରମାଣ ଦେବାକୁ ପରିଚୟ ପତ୍ର ଦେବାକୁ କହିଥିଲା। ମାତ୍ର ସେମାନଙ୍କ ପାଖରେ ଭୋଟର ଆଇକାଡ, ଆଧାରକାର୍ଡ କିମ୍ବା ପ୍ୟାନ୍ କାର୍ଡ ଆଦି କୌଣସି ପରିଚୟ ପତ୍ର ନଥିଲା।
ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେମାନେ ହେଉଛନ୍ତି ବାଙ୍ଗ୍ଲାଦେଶର ଖୁଲନା ଡିଭିଜନର ବଗରହାଟ୍ ଜଲ୍ଲାର ବାସିନ୍ଦା। ଏହି ୩୧ ଜଣ ବାଙ୍ଗ୍ଲାଦେଶୀଙ୍କ ମଧ୍ରରେ ୧୩ ଜଣ ଶିଶୁ ଥିବା ମଧ୍ୟ ସୂଚନା ରହିଛି।
ପ୍ରାଥମିକ ପଚରାଉଚରାରୁ ଜାଣିବାକୁ ମିଳିଛି ଯେ ସେମାନେ ଆମ ଦେଶକୁ ପ୍ରାୟ ୨ ବର୍ଷ ତଳୁ ପ୍ରବେଶ କରିଛନ୍ତି। ବେଙ୍ଗାଲୁର ରେ ସେମାନେ ଛୋଟ ମୋଟ କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ସେମାନେ ବାଙ୍ଗାଲୋର ଏକ୍ସପ୍ରେସରେ ରବିବାର ଗୌହ୍ଵାଟୀଠାରେ ପହଞ୍ଚିଥିଲେ। ଜାଣିବାକୁ ମିଳିଛି ଯେ ସେମାନେ ଅଗରତାଲା ଯାଇ ସେଠାରୁ ପୁଣି ବାଙ୍ଗ୍ଲାଦେଶ ଫେରିଯିବାର ଯୋଜନା କରିଥିଲେ।