୩୧ ଜଣ ଆର୍ଥିକ ଠକ ବିଦେଶକୁ ପଳାୟନ କରିଛନ୍ତି

ନୂଆଦିଲ୍ଲୀ:  କେବଳ ବିଜୟ ମାଲ୍ୟା ବା ନିରବ ମୋଦି ନୁହେଁ ପ୍ରାୟ ୩୧ ଜଣ ଆର୍ଥିକ ଠକ ଭାରତରୁ ପଳାୟନ କରିଛନ୍ତି ବୋଲି ସରକାର  ସୂଚନା ଦେଇଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ.ଆକବର କହିଛନ୍ତି ଯେ ଦେଶରୁ ବିଭିନ୍ନ ଆର୍ଥିକ ଠକେଇରେ ସଂପୃକ୍ତ ୩୧ ଜଣ ବ୍ୟକ୍ତି ଭାରତରୁ ପଳାଇଯାଇ ବିଦେଶରେ ରହୁଛନ୍ତି । ଏହି ତାଲିକାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରହିଛନ୍ତି ନିରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକସୀ,ବିଜୟମାଲ୍ୟା, ଲଲିତ ମୋଦି, ଅସ୍ତ୍ର ବେପାରୀ ସଂଜୟ ଭଣ୍ଡାରୀ, ଆଶୀଷ ଯବନପୁତ୍ର, ପୁଷ୍ପେଷ ବୈଦ,ସଂଜୟ କାଲରା ଇତ୍ୟାଦି । ଏସବୁ ଠକମାନଙ୍କ ପ୍ରତ୍ୟାର୍ପଣ ପାଇଁ ସିବିଆଇ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କରିଛି । ଏସବୁ ଲୋକମାନଙ୍କ ପ୍ରତ୍ୟାର୍ପଣ ପାଇଁ ସଂପୃକ୍ତ ଦେଶମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଆକବର କହିଛନ୍ତି ।

ଅନ୍ୟପକ୍ଷରେ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇ ପରିଶୋଧ କରୁନଥିବା ପ୍ରାୟ ୯୧ ଜଣ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏହି ଲୋକମାନେ ଜାଣିଯୁଣି ଋଣ ପରିଶୋଧ କରୁନାହାନ୍ତି  ବୋଲି ସରକାରଙ୍କ ହୃଦବୋଧ ହୋଇଛି । ଏଣୁ ଏହି ବ୍ୟକ୍ତି ମାନଙ୍କୁ ବିଦେଶ ଯିବା ଉପରେ କଟକଣା ଲଗାଯିବାକୁ ଯୋଜନା କରୁଛନ୍ତି ସରକାର ।  ପ୍ରଥମ ବିଜୟ ମାଲ୍ୟା ଓ ଏବର୍ଷ ନିରବ ମୋଦି ହଜାର ହଜାର କୋଟି ଟଙ୍କା ହଡ଼ପ କରି ବିଦେଶ ପଳାଇଯିବା ପରେ ସରକାର ସତର୍କ ହୋଇଉଠିଛନ୍ତି ।

 

ସମ୍ବନ୍ଧିତ ଖବର