ରାଜ୍ୟରେ ଦିନକୁ ୩୨ ଦୁର୍ଘଟଣା, ୧୫ମୃତ୍ୟୁ: ଓଡ଼ିଶାରେ ୧୧,୬୬୩ ଦୁର୍ଘଟଣା

ପୂର୍ବବର୍ଷ ତୁଳନାରେ ୬.୨% ବୃଦ୍ଧି, ବର୍ଷକରେ ୫୪୬୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୨ ମସିହାରେ ସମୁଦାୟ ୧୧,୬୬୩ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍‌ ପ୍ରତ୍ୟେକ ଦିନ ଓଡ଼ିଶାରେ ପାଖାପାଖି ୩୨ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ଦିନକୁ ହାରାହାରି ୧୫ ଜଣଙ୍କର ଜୀବନ ଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟରୁ ଆଜି ପ୍ରକାଶିତ ରୋଡ୍‌ ଆକ୍ସିଡେଣ୍ଟସ୍ ଇନ୍‌ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏହା ଜଣାଯାଇଛି। ରିପୋର୍ଟ ଅନୁସାରେ ୨୦୨୨ରେ ଦେଶରେ ୪,୬୧,୩୧୨ ସଡ଼କ ଦୁର୍ଘଟଣା ହୋଇଛି। ଏହି ସଡ଼କ ଦୁର୍ଘଟଣାରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪,୪୩,୩୬୬ ଜଣ ଆହତ ହୋଇଛନ୍ତି।

ଓଡ଼ିଶାରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି। ୨୦୨୧ରେ ରାଜ୍ୟରେ ୧୦,୯୮୩ଟି ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୨୨ରେ ଏଥିରେ ୬.୨ ପ୍ରତିଶତ ବୃଦ୍ଧି ଘଟି ୧୧,୬୬୩ରେ ପହଞ୍ଚିଛି। ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨.୭ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୧ରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୦୮୧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ହେଲେ ସଡ଼କ ଦୁର୍ଘଟଣା ସଂଖ୍ୟାରେ ଓଡ଼ିଶା ସମଗ୍ର ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛି। ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ଘଟିଥିବା ମୋଟ ସଡ଼କ ଦୁର୍ଘଟଣାରୁ ୫୧୪୦ଟି ଗୁରୁତର ଦୁର୍ଘଟଣା ରହିଥିଲା। ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ୧୦,୩୦୨ ଜଣ ଲୋକ ଆହତ ହୋଇଛନ୍ତି। ୨୦୨୧ ତୁଳନାରେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ୨୦୨୧ରେ
ଆହତଙ୍କ ସଂଖ୍ୟା ଥିଲା ୯୭୮୨। ଓଡ଼ିଶାରେ ଜାତୀୟ ରାଜପଥରେ ୪୩୧୭ଟି ଦୁର୍ଘଟଣା ହୋଇଥିଲା।

ଓଡ଼ିଶାରେ ୧୧,୬୬୩ ଦୁର୍ଘଟଣା
ପୂର୍ବବର୍ଷ ତୁଳନାରେ ୬.୨% ବୃଦ୍ଧି
ବର୍ଷକରେ ୫୪୬୭ ଜଣଙ୍କ ମୃତ୍ୟୁ
ମୃତ୍ୟୁ ସଂଖ୍ୟା ମଧ୍ୟ ୨.୭% ବଢ଼ିଲା
ଦେଶରେ ଓଡ଼ିଶାର ସ୍ଥାନ ୧୩

ଏଥିରୁ ଗୁରୁତର ଦୁର୍ଘଟଣା ସଂଖ୍ୟା ୧୯୧୭ ରହିଥିଲା। ଏଥିରେ ୨୦୪୩ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ରେ ଓଡ଼ିଶାର ରାଜ୍ୟ ରାଜପଥଗୁଡ଼ିକରେ ୨୬୪୮ ଦୁର୍ଘଟଣା ହୋଇଛି ଏବଂ ଏଥିଜନିତ ମୃତ୍ୟୁ ସଂଖ୍ୟା ୧୨୭୪ ରହିଛି। ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟ ରାଜପଥରେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢ଼ିଛି। ୨୦୨୧ରେ ରାଜ୍ୟ ରାଜପଥରେ ଦୁର୍ଘଟଣା ସଂଖ୍ୟା ୨୩୩୯ ଏବଂ ମୃତ୍ୟୁସଂଖ୍ୟା ୧୦୯୯ ଥିଲା। ସେହିଭଳି ରାଜ୍ୟ ରାଜପଥରେ ୨୦୨୧ ତୁଳନାରେ ୨୦୨୨ରେ ଆହତମାନଙ୍କ ସଂଖ୍ୟା ବି ବୃଦ୍ଧି ହୋଇଛି। ୨୦୨୧ରେ ରାଜ୍ୟ ରାଜପଥରେ ଘଟିଥିବା ଦୁର୍ଘଟଣାରେ ଆହତମାନଙ୍କ ସଂଖ୍ୟା ୨୧୨୯ ଥିବାବେଳେ ୨୦୨୨ରେ ଏହା ୨୩୭୩ରେ ପହଞ୍ଚିଛି। ୨୦୨୨ରେ ଓଡ଼ିଶାର ସହରାଞ୍ଚଳରେ ୧୬୦୨ ଓ ଗ୍ରାମାଞ୍ଚଳରେ ୩୫୩୮ ସଡ଼କ ଦୁର୍ଘଟଣା ହୋଇଛି।

ଉଦ୍‌ବେଗର ବିଷୟ ହେଲା, ସଡ଼କ ଦୁର୍ଘଟଣାରେ ୨୫ରୁ ୩୫ ବର୍ଷ ବୟସର ୮୩୦ ପୁରୁଷ ଓ ୨୫ ଜଣ ମହିଳା ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ୮୦୦ ଜଣ ପଦଯାତ୍ରୀ, ୧୯୯ ସାଇକଲ ଚାଳକ ଓ ୨୪୯୮ ଜଣ ଦୁଇ ଚକିଆ ଚାଳକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଓଭରସ୍ପିଡ୍‌ ଜନିତ ୭୩୮୩ ଦୁର୍ଘଟଣାରେ ୩୬୭୫ ଜଣଙ୍କ ମୃତ୍ୟୁ ହୋଇଛି। ମଦ୍ୟପାନ ଜନିତ ୬୫୪ ଗାଡ଼ି ଚାଳନା ଦୁର୍ଘଟଣାରେ ୩୦୧ ଜଣଙ୍କ ମୃତ୍ୟୁ ଏବଂ ୧୧୪୦ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ଘଟଣାରେ ୪୩୨ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ରିପୋର୍ଟରେ ସିଟ୍‌ବେଲ୍ଟ ପରିଧାନ କରି ନ ଥିବାରୁ ୨୩୪ ଜଣ ଡ୍ରାଇଭର ଓ ୨୬୯ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।‌ ହେଲମେଟ୍‌ ବ୍ୟବହାର କରି ନଥିବାରୁ ୧୧୦୩ ବାଇକ୍‌ ଚାଳକ ଓ ୫୯୨ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ରିପୋର୍ଟରେ ୨୧୦୯ଟି ହିଟ୍‌ ଆଣ୍ଡ୍‌ ରନ୍‌ ଘଟଣାରେ ୧୧୬୪ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ୧୨୭୨ଟି ପଛରୁ ଧକ୍କା ମାରିବା ଘଟଣାରେ ୪୬୪ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟମାନଙ୍କର ପୁଲିସ ବିଭାଗରୁ ସଂଗୃହୀତ ତଥ୍ୟ ଆଧାରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର