କୋଟଦ୍ବାର: ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡର ପୌଡ଼ୀ ଗଡ଼ୱାଲ୍ ଜିଲ୍ଲା ଦେଇ ପଡ଼ିଥିବା ରିଖ୍ଣୀଖାଲ୍-ବୀରୋଖାଲ୍ ସଡ଼କରୁ ଗୋଟାଏ ବରଯାତ୍ରୀ ବସ୍ ୫୦୦ ମିଟର୍ ଗଭୀର ଖାଇକୁ ଖସି ପଡ଼ିବାରୁ ଅନ୍ୟୂନ ୩୨ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।
ପିଲାଙ୍କ ସମତେ ପ୍ରାୟ ୫୫ରୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ଉକ୍ତ ବସ୍ର ଦୁର୍ଘଟଣାସ୍ଥଳରୁ ୨୧ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଧୁମାକୋଟ ଅଞ୍ଚଳର ବୀରୋଖାଲ୍ ଅଞ୍ଚଳରେ ଗତରାତିରେ ଘଟିଥିବା ପୌଡ଼ୀ ଗଡ଼ୱାଲ୍ ବସ୍ ଦୁର୍ଘଟଣାରେ ୨୫ଜଣ ବ୍ୟକ୍ତି ମରିଥିବା ଜଣାପଡ଼ିଛି। ସ୍ଥାନୀୟ ଜନତାଙ୍କ ସହଯୋଗରେ ଗତରାତିରେ ପୁଲିସ ଓ ‘ଏସ୍ଡିଆର୍ଏଫ୍’ ୨୧ଜଣଙ୍କୁ ଉଦ୍ଧାର କରିଛି; ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି ବୋଲି ଡି.ଜି.ପି. ଅଶୋକ କୁମାରଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ଆଜି ସକାଳେ ରିପୋର୍ଟ କରିଥିଲା। କିନ୍ତୁ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
/sambad/media/post_attachments/wp-content/uploads/2022/10/bus-crash1.jpg)
‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ’ର (ଏସ୍ଡିଆର୍ଏଫ୍) ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ଖବର ମିଳିଛି।
ଏଭଳି ଦୁଃଖଦାୟକ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କୁ ରାଜ୍ୟ ସରକାର ସହାୟତା କରିବେ ବୋଲି ଘୋଷଣା କରିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ହରିଦ୍ବାର ଜିଲ୍ଲାର ଲାଲ୍ଧାଙ୍ଗ୍ରୁ ପୌଡ଼ୀ ଜିଲ୍ଲାର ବୀରଖାଲ୍ ବ୍ଲକ୍କୁ ଯାଉଥିବା ବେଳେ ନିୟନ୍ତ୍ରଣ ବାହାରକୁ ଯାଇ ପୌଡ଼ୀ ଜିଲ୍ଲାର ଧୁମାକୋଟ୍ ଥାନା ଅଞ୍ଚଳ ଅନ୍ତର୍ଗତ ରିଖ୍ଣୀଖାଲ୍-ବୀରୋନ୍ଖାଲ୍ ମୋଟୋର୍ ରୋଡ୍ରେ ସିମ୍ଧି ଗ୍ରାମ ନିକଟରେ ଥିବା ଖାଇ ମଧ୍ୟକୁ ବସ୍ଟି ଖସିପଡ଼ିଥିଲା।