ଦେଶରେ ମାସକରେ ୩୨ ଲକ୍ଷ ବାହାଘର

ବିବାହ କାର୍ଯ୍ୟକ୍ରମ ଯୋଗୁ ୩.୭୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୁଯୋଗ ସୃଷ୍ଟି ହେବ

ନୂଆଦିଲ୍ଲୀ : ଚଳିତ ନଭେମ୍ବର ୧୪ରୁ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ମାସକ ଭିତରେ ଦେଶରେ ୩୨ ଲକ୍ଷରୁ ଅଧିକ ବାହାଘର ହେବ। ଏହାକୁ ନେଇ ଭାରତୀୟ ବ୍ୟବସାୟୀ ମହାସଂଘ ବେଶ ଉତ୍ସାହିତ ହୋଇପଡ଼ିଛି। ମହାସଂଘ ଆକଳନ କରିଛି ଯେ ବିବାହ କାର୍ଯ୍ୟକ୍ରମ ଯୋଗୁ ୩.୭୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୁଯୋଗ ସୃଷ୍ଟି ହେବ।

ମହାସଂଘ ମତରେ ପାଞ୍ଚ ଲକ୍ଷ ବିବାହରେ ୩ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ରହିବ। ୧୦ ଲକ୍ଷ ଟଙ୍କା ବିବାହରେ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ଆଉ ୧୦ ଲକ୍ଷ ବିବାହରେ ୧୦ ଲକ୍ଷ ଟଙ୍କା ଲେଖାଏଁ, ପାଞ୍ଚ ଲକ୍ଷ ବିବାହାରେ ୨୫ ଲକ୍ଷ ଟଙ୍କା ଲେଖାଏଁ ଏବଂ ୫୦ ହଜାର ବାହାଘରରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଲେଖାଏଁ ଖର୍ଚ୍ଚ ହେବ। ଏହି ଅବସରରେ ଏଭଳି ୫୦ ହଜାର ବିବାହ ରହିଛି ଯେଉଁଠାରେ ପ୍ରତି ବାହାଘର ପିଛା ୧ କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହେବ। ବିବାହ ଲାଗି କିଣାକିଣି ବାବଦରେ ଲୋକମାନେ ପ୍ରାୟ ୩.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। କେବଳ ଦିଲ୍ଲୀରେ ସାଢ଼େ ତିନି ଲକ୍ଷ ବାହାଘର ଥିବାରୁ ସେଠାରେ ୭୫ ହଜାର କୋଟି ଟଙ୍କା ବ୍ୟବସାୟ ସୁଯୋଗ ସୃଷ୍ଟି ହେବ।

ଚଳିତ ବର୍ଷ ଦୀପାବଳିରେ ବହୁତ ଭଲ କାରବାର କରିଥିବା ବ୍ୟବସାୟୀମାନେ ବିବାହ ଋତୁକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ବିବାହ ପାଇଁ ଦରକାର ହେଉଥିବା ଗହଣା, ଶାଢ଼ି, ଲେହେଙ୍ଗା, ଆସବାବପତ୍ର, ରେଡିମେଡ୍ ପୋଷାକ, କପଡ଼ା, ଜୋତା ଓ ଚପଲ, ନିମନ୍ତ୍ରଣ ପତ୍ର, ଡ୍ରାଏ ଫ୍ରୁଟ୍‌ସ, ମିଷ୍ଟାନ୍ନ, ଫଳ, ପୂଜା ସାମଗ୍ରୀ, ଗ୍ରୋସରି, ଖାଦ୍ୟଶସ୍ୟ, ସାଜସଜ୍ଜା ସାମଗ୍ରୀ, ଗୃହ ସଜ୍ଜା ସାମଗ୍ରୀ, ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ, ଉପହାର ସାମଗ୍ରୀ ଆଦି ବିକ୍ରି କରୁଥିବା ବ୍ୟବସାୟୀମାନେ ଭଲ କାରବାରକୁ ନେଇ ଆଶାବାଦୀ ଅଛନ୍ତି।

ndiamart.com

ବିବାହ ମଣ୍ଡପ, ହଲ, ହୋଟେଲ୍, ‌ଖୋଲା ଲନ୍, ଗୋଷ୍ଠୀ କେନ୍ଦ୍ର, ସାର୍ବଜନୀନ ପାର୍କ, ଫାର୍ମ ହାଉସ୍‌ ଏବଂ ଆହୁରି ବିଭିନ୍ନ ପ୍ରକାର ସ୍ଥାନରେ ବିବାହ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ। ଫଳରେ ଏହି ସବୁ କ୍ଷେତ୍ରର ବ୍ୟବସାୟୀମାନେ ଉପକୃତ ହେବେ। କେବଳ ସେତିକି ନୁହେଁ ଟେଣ୍ଟ ଡେକୋରେଟର, ଫୁଲ ସାଜ୍ଜସଜା, ରୋଷେଇ ସେବା, କ୍ୟାଟରିଂ ସେବା, ଯାନ ପରିବହନ ସେବା ପ୍ରଦାନକାରୀ, ପନିପରିବା ବ୍ୟବସାୟୀ, ଫଟୋଗ୍ରାଫର, ଭିଡିଓ ଗ୍ରାଫର, ଆର୍କେଷ୍ଟା ଆୟୋଜନକାରୀ, ଡିଜେ, ଆଲୋକ ଏବଂ ସାଉଣ୍ଡ୍‌ ସେବା ପ୍ରଦାନ କରିବାରେ ଜଡ଼ିତ ଥିବା ବ୍ୟବସାୟୀମାନେ ମଧ୍ୟ ବିବାହ କାର୍ଯ୍ୟକ୍ରମ ଯୋଗୁ ଉପକୃତ ହେବେ।

ସମ୍ବନ୍ଧିତ ଖବର