ପାଟନା: ବିହାରର ଲୋକମାନେ ହୋଲି ଅବସରରେ ରଙ୍ଗ ଖେଳି ଉତ୍ସବମୁଖର ଥିବା ବେଳେ ଅନ୍ୟ ପଟେ ବିଷାକ୍ତ ମଦ ହେତୁ ୩୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଷାକ୍ତ ମଦ ପିଇ ଭାଗଲପୁର ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଙ୍କାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ ମଧେପୁରାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବି ଜଣାପଡ଼ିଛି। ଏଥିସହିତ ଅନେକ ଲୋକ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିିତ ହେଉଛନ୍ତି।
ଭାଗଲପୁର ଜିଲ୍ଲାର ସାହେବଗଞ୍ଜ ଅଞ୍ଚଳରୁ ୪, ନାରାୟଣପୁରରୁ ୪, ଗୋରାଡିହରୁ ୩, କଜରେଲିରୁ ୩, ମାରୁଫଚକ, ଶାହାକୁଣ୍ଡ ଓ ନବଗାଚ୍ଛିଆର ସାହୁ ପାର୍ବତାର ବୋଡୱା ଗ୍ରାମରୁ୧-୧ ଜଣଙ୍କର ମୃତ୍ୟୁ ହୋଇଛି।
ମୃତ ବିନୋଦ ରାୟଙ୍କ ପୁଅ ଚନ୍ଦନ ରାୟ କହିଛନ୍ତି ଯେ ମଦ୍ୟପାନ ହେତୁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଭାଗଲପୁରର ଅଭିଷେକ କହିଛନ୍ତି ଯେ ସେ ମଦ୍ୟପାନ କରିବା ପରେ ତାଙ୍କୁ ଆଉ ଦେଖା ଯାଉନାହିଁ। ସେ ଗାଁର ମିଥୁନ ଯାଦବଙ୍କ ସହ ବସି ବିଦେଶୀ ମଦ ପିଇଥିଲେ। ମିଥୁନଙ୍କ ଏଥିରେ ମୃତ୍ୟୁ ହୋଇଯାଇଛି।
ଏଥିସହିତ ବାଙ୍କାର ଅମରପୁର ପୁଲିସ ଷ୍ଟେସନ ଅଞ୍ଚଳର ୬ ଟି ଗାଁରେ ବିଷାକ୍ତ ମଦ ହେତୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୨ ଜଣ ଲୋକ ଦୃଷ୍ଟି ଶକ୍ତି ହରାଇଛନ୍ତି । ସମସ୍ତେ ମଦ ପିଇବା ପରେ ପେଟରେ ଯନ୍ତ୍ରଣା, ବାନ୍ତି, ନିଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା ଭଳି ଅସୁବିଧା ହେଉଥିବା କହିଥିଲେ।