ଅଯୋଧ୍ୟା: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଥିବା କାର୍ଯ୍ୟକ୍ରମ ମଧ୍ୟରେ ଆଜି ନରେନ୍ଦ୍ର ମୋଦୀଙ୍କର ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ମୋଦୀଙ୍କ ସମେତ ବିଜେପିର ତତ୍କାଳୀନ ଅଧ୍ୟକ୍ଷ ମୁରଲୀ ମନୋହର ଜୋଶୀ ମଧ୍ୟ ଅଛନ୍ତି। ସେମାନେ ସେଠାରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ମୋଦୀ ଆର୍କାଇଭ ନାମକ ହ୍ୟାଣ୍ଡେଲରୁ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ୍‌ କରାଯାଇଛି। ଉଲ୍ଲେଖଯୋଗ୍ୟ, ୩୨ ବର୍ଷ ପୂର୍ବେ ୧୯୯୨ ମସିହା ଜାନୁଆରି ୧୫ ତାରିଖରେ ଶ୍ରୀ ଜୋଶୀଙ୍କ ସହିତ ମୋଦୀ ଅଯୋଧ୍ୟାରେ ପହଞ୍ଚିଥିଲେ। ସେହି ସମୟରେ ସେ କନ୍ୟାକୁମାରୀରୁ କଶ୍ମୀରକୁ ଏକତା ଯାତ୍ରାରେ ଥିଲେ। ଏହି ଫଟୋ ସେୟାର କରିବା ସହିତ ଏହା ମଧ୍ୟ ଦାବି କରାଯାଇଛି ଯେ ମୋଦୀ ସେହି ସମୟରେ ଜୟଶ୍ରୀରାମ ସ୍ଲୋଗାନ ମଧ୍ୟରେ ଶପଥ ନେଇଥିଲେ ଯେ ରାମ ମନ୍ଦିର ନିର୍ମାଣ ହେଲେ ହିଁ ସେ ଏଠାକୁ ଫେରିବେ। ଏହି ଫଟୋ ସହ ଲେଖାଯାଇଛି ଯେ ଶେଷରେ ମୋଦୀ ସରକାରଙ୍କ ତପସ୍ୟା ଫଳପ୍ରଦ ହେଲା।

Advertisment

ଫଟୋ ଉଠାଇଥିବା ମହେନ୍ଦ୍ର ତ୍ରିପାଠୀ ସେହି ସମୟରେ ମୋଦୀଙ୍କୁ ଚିହ୍ନି ନଥିଲେ। ଜୋଶୀଙ୍କୁ ସେ ପଚାରିଥିଲେ ‌ଏହି ବ୍ୟକ୍ତିଜଣକ କିଏ? ଜୋଶୀ ତାଙ୍କୁ କହିଥିଲେ ସେ ନରେନ୍ଦ୍ର ମୋଦୀ ଏବଂ ଗୁଜରାଟରେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ତା’ପରେ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ତ୍ରିପାଠୀ ପଚାରିଥିଲେ ଆପଣ ପ୍ରଭୁ ରାମଙ୍କ ସହିତ କିଛି କଥା ହେଉଛନ୍ତି କି? ଏହାର କୌଣସି ଉତ୍ତର ଦେବେ ନାହିଁ ବୋଲି ମୋଦୀ କହିଥିଲେ। ତାହା ପରେ ସେ ଫଟୋ ଉଠାଇବା ସହିତ ପଚାରିଥିଲେ ସେ ଅଯୋଧ୍ୟା ପୁଣି କେବେ ଆସିବେ? ଉତ୍ତରରେ ମୋଦୀ କହିଥିଲେ ଯେବେ ଅଯୋଧ୍ୟାରେ ମନ୍ଦିର ହୋଇଯିବ ସେତେବେଳେ ସେ ଦର୍ଶନ ପାଇଁ ଦ୍ବିତୀୟ ଥର ଆସିବେ।