୯୩% କର୍ମଚାରୀ ଅଫିସ ଯିବାକୁ ବ୍ୟସ୍ତ: ସର୍ଭେ

ନୂଆଦିଲ୍ଲୀ : ଭାରତର ବିଭିନ୍ନ କମ୍ପାନି ଓ ଅଫିସରେ କାର୍ଯ୍ୟରତ ୯୩ ପ୍ରତିଶତ କର୍ମଚାରୀ ଲକ୍‌ଡାଉନ ପରେ ଅଫିସ ଯିବାକୁ ବ୍ୟସ୍ତ ହୋଇ ପଡୁଛନ୍ତି ବୋଲି ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ମାଇଣ୍ଡ ମ୍ୟାପ୍‌ ଆଡଭାନ୍‌ସ ରିସର୍ଚ୍ଚ ସହାୟତାରେ ଏଫ୍‌ୱାଇଆଇ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି, ଭାରତର ବଡ଼ ବଡ଼ ମେ‌ଟ୍ରୋରେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନେ ଅଫିସ ଫେରିବା ଚାପରେ ଅଛନ୍ତି। ଚାପରେ ଥିବା ୯୩ ପ୍ରତିଶତ କର୍ମଚାରୀମାନଙ୍କ ମଧ୍ୟରେ ୮୫ ପ୍ରତିଶତ ପୁରୁଷ ଏବଂ ୧୫ ପ୍ରତିଶତ ମହିଳା କର୍ମଚାରୀ ଅଛନ୍ତି।

ସେହିଭଳି ନିଜ ନିଜ ଅଫିସ ଓ କର୍ମସ୍ଥଳୀକୁ କଡ଼ାକଡ଼ି ଭାବେ ବିଶୋଧନ କରାଯିବା ଉପରେ ୮୫ ପ୍ରତିଶତ କର୍ମଚାରୀ ଇଛ‌ା ପ୍ରକାଶ କରିଛନ୍ତି। ୫୯ ପ୍ରତିଶତ କର୍ମଚାରୀ ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ଚିନ୍ତିତ ଥିଲାବେଳେ ୨୫ ପ୍ରତିଶତ କର୍ମଚାରୀ ନିଜର ଆର୍ଥିକ ସ୍ଥିତିକୁ ନେଇ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ସେହିଭଳି ୧୬ ପ୍ରତିଶତ କର୍ମଚାରୀଙ୍କ ମତରେ କୋଭିଡ-୧୯ ସମସ୍ୟା ଏତେ ଶୀଘ୍ର ସମାଧାନ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି। ଏଭଳି ଏକ ଜାତୀୟ ବିପତ୍ତି ସମୟରେ ୮୫ ପ୍ରତିଶତ କର୍ମଚାରୀ ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ମାଲିକଙ୍କ ଉପରେ ଭରସା ରଖିଛନ୍ତି। ୯୯ ପ୍ରତିଶତ କର୍ମଚାରୀ ସେମାନଙ୍କର ସ୍ବାସ୍ଥ୍ୟର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। କମ୍ପାନି ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଭଳି ‘କର୍ପୋରେଟ୍‌ ହେଲ୍‌ଥ ରେସ୍‌ପନସିବିଲିଟି’ (ସିଏଚ୍‌ଆର୍‌) ପ୍ରତିଷ୍ଠା କରାଯାଉ ବୋଲି ୯୯ ପ୍ରତିଶତ କର୍ମଚାରୀ ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର