ବସ୍‌ ଓଲଟି ୩୩ ମୃତ : ପିକ୍‌ନିକ୍‌ ଯାଉଥିଲେ ବିଦ୍ୟାପୀଠର କର୍ମଚାରୀ, ହଠାତ୍‌ ନିରବି ଗଲା ହ୍ଵାଟ୍‌ସଆପ୍‌ ଗ୍ରୁପ୍‌

ମହାବଳେଶ୍ୱର : ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍‌ ରାୟଗଡ଼ ଜିଲ୍ଲା ଆମ୍ବେନଲି ଘାଟିରେ ୫୦୦ ଫୁଟ ଖାଇ ମଧ୍ୟକୁ ଖସିପଡ଼ିବାରୁ ୩୩ ଜଣ ପ୍ରାଣ ହରାଇଛନ୍ତି। କୃଷି ବିଦ୍ୟାପୀଠର ୩୪ ଜଣ କର୍ମଚାରୀ ପିକନିକ୍‌ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ବେଳେ ଜଣେ ଯାତ୍ରୀ ଡେଇଁ ପଡ଼ିବାରୁ ସେ ବଞ୍ଚିଯାଇଛନ୍ତି।

ରତ୍ନଗିରି ଜିଲ୍ଲାରେ ଥିବା ଡକ୍ଟର ବାଲାସାହେବ ସାଓ୍ଵନ୍ତ କୋଙ୍କଣ କୃଷି ବିଦ୍ୟାପୀଠର କର୍ମଚାରୀମାନେ ପିକ୍‌୍‌ନିକ ପାଇଁ ଶନିବାର ସକାଳେ ମହାବଳେଶ୍ୱର ପର୍ଯ୍ୟଟନସ୍ଥଳୀ ଅଭିମୁଖେ ଯାଉଥିଲେ। ସେମାନଙ୍କ ମନରେ ପ୍ରବଳ ଉତ୍ସାହ ଥିଲା। ମହାବଳେଶ୍ୱରରେ ପହଞ୍ଚି ସେଠାରେ ସେମାନେ ବଣଭୋଜି କରିଥାନ୍ତେ ଏବଂ ସେଠାକାର ଦର୍ଶନୀୟ ସ୍ଥାନ ଓ ମନ୍ଦିର ବୁଲିଥାନ୍ତେ। କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା। ମୁମ୍ବାଇରୁ ପ୍ରାୟ ୨୦୦ କିଲୋମିଟର ଦୂର ପୋଲଡ଼ପୁରଠାରେ ବସ୍‌ଟି ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ପାହାଡ଼ିଆ ଅଞ୍ଚଳ ରାସ୍ତାରେ ଥିବାରୁ ବସ୍‌ଟି ଏକ ଖାଇ ମଧ୍ୟକୁ ଖସିପଡ଼ିଥିଲା। ଫଳରେ ପିକ୍‌ନିକ୍‌ ଯାତ୍ରା ସେମାନଙ୍କ ଶେଷଯାତ୍ରା ସାଜିଲା। ଖବରଟି ବିଜୁଳି ଭଳି ରାଜ୍ୟସାରା ବ୍ୟାପିଯାଇଥିଲା। ମୃତକଙ୍କ ପରିବାର ସଦସ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ରାୟଗଡ଼ ପୁଲିସ ଅଧିକାରୀ ବାଳକୃଷ୍ଣ ଯାଦବଙ୍କ କହିବାନୁସାରେ ଖବର ପାଇବା କ୍ଷଣି ସ୍ଥାନୀୟ ଉଦ୍ଧାରକାରୀ ଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପୁନେରୁ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍‌ ମଧ୍ୟ ଆସିଥିଲା। କିନ୍ତୁ ୩୪ ଜଣ ଯାତ୍ରୀ ମଧ୍ୟରୁ ୩୩ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ପ୍ରକାଶ ସାଓ୍ଵନ୍ତ ଦେଶାଇ ନାମକ ଜଣେ ବ୍ୟକ୍ତି ବସ୍‌ରୁ ଡେଇଁପଡ଼ିବାରୁ ତାଙ୍କର ଜୀବନ ରହିଯାଇଛି। ସେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍‌ କରି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ମଧ୍ୟ ଶୋକପ୍ରକାଶ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଟ୍ଵିଟ୍‌ କରି ଶୋକପ୍ରକାଶ କରିବା ସହିତ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ହଠାତ୍‌ ନିରବି ଗଲା ହ୍ଵାଟ୍‌ସଆପ୍‌ ଗ୍ରୁପ୍‌

ମୁମ୍ବାଇ : ସକାଳ ୬ଟା ୩୦ରୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଚଳଚଞ୍ଚଳ ହୋଇଯାଇଥିଲା। ବିଛଣାରୁ ଉଠିବା ଠାରୁ ଆରମ୍ଭ କରି ପିକ୍‌ନିକ୍‌ ବସ୍‌ ପର୍ଯ୍ୟନ୍ତ ପହଞ୍ଚିବା ଯାଏ, ଚାଲିଥିଲା ଅପ୍‌ଡେଟ୍‌। ଏହାପରେ ବସ୍‌ ମଧ୍ୟର ମଜାଦାର ଦୃଶ୍ୟ ଗ୍ରୁପ୍‌ରେ ପୋଷ୍ଟ ହୋଇଥିଲା। ଏମିତି କି ପାହାଡ଼ିଆ ଅଞ୍ଚଳର ପ୍ରାକୃତିକ ଶୋଭାରାଜିର ଦୃଶ୍ୟ ମଧ୍ୟ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ଗଦା ଗଦା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୯ଟା ୩୦ରେ ଗ୍ରୁପ୍‌ ଶାନ୍ତ ପଡ଼ିଥିଲା। କାରଣ ଜଳଖିଆ ପାଇଁ ଅଟକିଥିଲା ପିକ୍‌ନିକ୍‌ ବସ୍‌। ଏହାପରେ ପୁଣି ଚାଲିଥିଲା ଫଟୋ ଓ ମେସେଜ୍‌ ପୋଷ୍ଟିଂ। କିନ୍ତୁ ଏହାର କିଛି ସମୟ ପରେ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ସମ୍ପୂର୍ଣ୍ଣ ଚୁପ୍‌ ହୋଇଯାଇଥିଲା। ଏପଟୁ ମେସେଜ୍‌ ଯେତେ ଗଲେ ବି କୌଣସି ଜବାବ ଆସି ନ ଥିଲା। ମନରେ ଅନେକ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା। ଶେଷରେ ୧୨ଟା ୩୦ରେ ଆସିଥିଲା ଦୁଃଖ ଖବର। ୫୦୦ ଫୁଟ୍‌ ଖାଇ ତଳକୁ ବସ୍‌ ଖସିଯିବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ସହଜରେ ବିଶ୍ୱାସ କରିହେଲାନି। ଅସୁସ୍ଥତା କାରଣରୁ ଆଜି ପିକ୍‌ନିକ୍‌ ଯାଇପାରି ନ ଥିବା ମହାରାଷ୍ଟ୍ରର ପ୍ରବୀଣ ରଣଦୀଭେ ନିଜ ସହକର୍ମୀଙ୍କୁ ହରାଇ ଦୁଃଖରେ ଏଭଳି କହିଛନ୍ତି। ରତ୍ନଗିରି ଜିଲ୍ଲାର ଡକ୍ଟର ବାଲାସାହେବ ସାଓ୍ଵନ୍ତ କୋଙ୍କଣ କୃଷି ବିଦ୍ୟାପୀଠରେ ଚାକିରି କରୁଥିବା ରଣଦୀଭେ କହିଛନ୍ତି, ସାପ୍ତାହିକ ଛୁଟି କଟାଇବା ଲାଗି ମହାବଳେଶ୍ୱର ଯିବା ପାଇଁ ସ୍ଥିର କରାଯାଇଥିଲା। ସେ ବି ଯିବେ ବୋଲି କଥା ଦେଇଥିଲେ। କିନ୍ତୁ ଦିନକ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତେଣୁ ସେ ପିକ୍‌ନିକ୍‌ ଯାଇପାରିବେ ନାହିଁ ବୋଲି ଜଣାଇଥିଲେ। କିନ୍ତୁ ମନରେ ପ୍ରବଳ ଉତ୍ସାହ ହେତୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ସହକର୍ମୀମାନେ କରୁଥିବା ଅପ୍‌ଡେଟ୍‌ ଉପରେ ନଜର ରଖିଥିଲେ ଏବଂ ମେସେଜ୍‌ ପଠାଉଥିଲେ। ତାଙ୍କ ସହକର୍ମୀମାନଙ୍କୁ ହରାଇ ସେ ଅତ୍ୟନ୍ତ ମର୍ମାହତ ବୋଲି ରଣଦୀଭେ କହିଛନ୍ତି। ସେମାନଙ୍କ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ସବୁଦିନ ପାଇଁ ଚୁପ୍‌ ହୋଇଗଲା ବୋଲି କାନ୍ଦି କାନ୍ଦି କହିଛନ୍ତି ରଣଦୀଭେ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ପିକ୍‌ନିକ୍‌ ଯାଇପାରି ନ ଥିବାରୁ ତାଙ୍କ ଜୀବନ ରହିଯାଇଛି ବୋଲି ତାଙ୍କ ସମ୍ପର୍କୀୟ ଓ ଅନ୍ୟମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଆମ୍ବେନଲି ଘାଟିଠାରେ ୫୦୦ ଫୁଟ ଖାଇ ମଧ୍ୟକୁ ବସ୍‌ ଖସିପଡ଼ିବା ଯୋଗୁ ଆଜି ୩୩ ଜଣଙ୍କ ପ୍ରାଣହାନି ଘଟିଛି। ସମସ୍ତେ ଡକ୍ଟର ବାଲାସାହେବ ସାଓ୍ଵନ୍ତ କୋଙ୍କଣ କୃଷି ବିଦ୍ୟାପୀଠର କର୍ମଚାରୀ। ମହାବଳେଶ୍ୱର ଅଭିମୁଖେ ସେମାନେ ପିକ୍‌ନିକ୍‌ ମନାଇବାକୁ ଯାଉଥିଲେ।

ସମ୍ବନ୍ଧିତ ଖବର