ବିହାରରେ କୁଆପଥର ମାଡରେ ୩୩ ମୃତ ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପାଟଣା: ବିହାରର ବିଭିନ୍ନ ସ୍ଥାନରେ ଗୁରୁବାର କୁଆପଥର ମାଡରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଭାଗଲପୁର ଜିଲ୍ଲାରେ ସବୁଠାରୁ ଅଧିକ ୭ଜଣଙ୍କ ଜୀବନ ଯାଇଥିଲା। ସେହିପରି ମୁଜାଫରପୁରରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସରଣ ଏବଂ ଲାଖି ସରାଇରେ ୩ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଭଳି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏଥି ସହିତ ଘର ଏବଂ ଫସଲ ଯାହା କ୍ଷତି ହୋଇଛି ତାହାକୁ ଆକଳନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଗୃହ ଭାଙ୍ଗିଥିବାର ଆକଳନ କରିବାକୁ କୁହାଯାଇଥିବାବେଳେ କୃଷି ବିଭାଗକୁ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୁଆପଥର ମାଡରେ ଯେଉଁଠି ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ତୁରନ୍ତ ତାହାକୁ ସଜାଡିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର