୩୩% ପ୍ରବାସୀଙ୍କୁ ମିଳିନି ମାଗଣା ଖାଦ୍ୟଶସ୍ୟ, ଭର୍ତ୍ତୃହରିଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟିକୁ ସୂଚନା ଦେଲେ ସରକାର

ରାଜ୍ୟ ସରକାରଙ୍କୁ ଦୋଷ ଦେଲେ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଯେଉଁ ମାଗଣା ଖାଦ୍ୟଶସ୍ୟ ସୁବିଧା ଯୋଗାଇଛନ୍ତି ତାହାର ଲାଭ ୩୩% ହିତାଧିକାରୀଙ୍କ ପାଖରେ ପହଞ୍ଚିନାହିଁ। କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ସରକାର ମାନଙ୍କୁ ଦାୟୀ କରିଛନ୍ତି। କହିଛନ୍ତି ଯେ ରାଜ୍ୟମାନଙ୍କ ଅବ‌େହଳା ଓ ଦାୟିତ୍ବହିନତା ଯୋଗୁଁ ପ୍ରବାସୀମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଲକ୍‌ଡାଉନ୍ ପାଇଁ ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ନିଜ କାମଧନ୍ଦା ଛାଡ଼ି ଘରକୁ ଫେରିଥିଲେ। ସେମାନଙ୍କ ପାଇଁ ଖାଦ୍ୟଶସ୍ୟର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାର ପ୍ୟାକେଜ୍ ଘୋଷଣା କରିଥିଲେ। ମାତ୍ର ରାଜ୍ୟଗୁଡ଼ିକ ସେହି କାର୍ଯ୍ୟକ୍ରମକୁ ଠିକ୍ ଭାବେ ଲାଗୁ କରିପାରିନଥିବାରୁ ସବୁ ପ୍ରବାସୀ ଶ୍ରମିକଙ୍କ ପାଖରେ ମାଗଣା ଖାଦ୍ୟଶସ୍ୟ ପହଞ୍ଚିପାରିନାହିଁ। ବିଜେଡି ସାଂସଦ ଭର୍ତୁହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ଉକ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା ବେଳେ କେନ୍ଦ୍ର ସରକାର ଏହି ଅଭିଯୋଗ ଆଣିଛନ୍ତି। କୁହାଯାଇଛି ଯେ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ୮ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଥିଲା। ରାଜ୍ୟଗୁଡ଼ିକ କିନ୍ତୁ ସେଥିରୁ ୬ ଲକ୍ଷ ଟନ୍‌ରୁ ସାମାନ୍ୟ ଅଧିକ ଖାଦ୍ୟଶସ୍ୟ ନେଇଛନ୍ତି। ଗତ ଅଗଷ୍ଟ ୫ ସୁଦ୍ଧା ୨.୦୩ କୋଟି ଲୋକଙ୍କୁ ମାତ୍ର ୨ଲକ୍ଷ ଟନ୍ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା। ଏହି ଖାଦ୍ୟଶସ୍ୟ ବଣ୍ଟନ କରିବାରେ ମଧ୍ୟ ରାଜ୍ୟଗୁଡ଼ିକ ତତ୍ପରତା ଦେଖାଇନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଅଂଶ ସ୍ବରୂପ ପ୍ରବାସୀ ଶ୍ରମିକଙ୍କ ପାଇଁ ମାସକୁ ମାଗଣାରେ ୫ ‌କିଲୋ ଖାଦ୍ୟଶସ୍ୟ ଦିଆଯିବ ବୋଲି ଗତ ମେ’ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଗତ ମେ’ ଓ ଜୁନ୍ ମାସରେ ଏହି ସମସ୍ତ ଖାଦ୍ୟଶସ୍ୟ ପ୍ରବାସୀ ଶ୍ରମିକଙ୍କୁ ବଣ୍ଟନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଥିଲା। ତେବେ ପ୍ରବାସୀ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ରାଜ୍ୟଗୁଡ଼ିକ ବିଳମ୍ବ କରୁଛନ୍ତି‌ ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର