ନୂଆଦିଲ୍ଲୀ : ସଂସଦ, ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ୍ର ଭାଗ୍ୟ ବର୍ତ୍ତମାନ ସୁଦ୍ଧା ଖୋଲିପାରୁନାହିଁ। କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଧେୟକକୁ ତୁରନ୍ତ ଗୃହୀତ କରି ଆଇନରେ ପରିଣତ କରିବା ପାଇଁ ଅଦ୍ୟାବଧି କୌଣସି ଉଦ୍ୟମ କରିନାହାନ୍ତି। ସପ୍ତଦଶ ଲୋକସଭାର ଅବଧି ସରି ଆସୁଥିବା ବେଳେ କାର୍ଯ୍ୟସୂଚୀରେ ମହିଳା ସଂରକ୍ଷଣ ବିଲ୍ ଏଯାଏ ସ୍ଥାନ ନ ପାଇବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହେଲାଣି।
ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଚଳିତ ମାସ ୨୦ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ସରକାରଙ୍କ ଦ୍ବାରା ପାଖାପାଖି ୧୫ରୁ ଅଧିକ ବିଲ୍କୁ ଆଗତ କରାଯିବାର ଯୋଜନା ରହିଛି। ହେଲେ ଏଥିରେ ମହିଳା ସଂରକ୍ଷଣ ବିଲ୍ ସାମିଲ ନଥିବା ଚର୍ଚ୍ଚା ହେଉଛି। ଏଣୁ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ରେ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକରେ ବିଜେଡି ସମେତ ଅନେକ ରାଜନୈତିକ ଦଳ ମହିଳା ସଂରକ୍ଷଣ ବିଲ୍କୁ କାର୍ଯ୍ୟସୂଚୀରେ ସାମିଲ ପାଇଁ ଚାପ ପକାଇବେ। କେବଳ ସେତିକି ନୁହେଁ, ଏହାକୁ ପାରିତ କରିବା ପାଇଁ ଦାବି କରିବାକୁ ଯୋଜନା କରୁଛନ୍ତି।
ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ବିଜେଡି ଦୀର୍ଘ ଦିନରୁ ଦାବି କରିଆସୁଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ତଥା ସମସ୍ତ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ସମ୍ବନ୍ଧୀୟ ଏକ ସଙ୍କଳ୍ପନାମାକୁ ୨୦୧୮ ନଭେମ୍ବରରେ ରାଜ୍ୟ ବିଧାନସଭାରେ ଗୃହୀତ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତୀକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଏବଂ ଦେଶ ଆଗକୁ ବଢ଼ିପାରିବ ନାହିଁ। ଏହାପରେ ମୁଖ୍ୟମନ୍ତ୍ରୀ ସଂସଦର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିବେଦନ ମଧ୍ୟ କରିଥିଲେ। ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍କୁ ସଂସଦରେ ସମର୍ଥନ କରିବା ପାଇଁ ଅପିଲ କରିଥିଲା। ବିଜେଡିର ଏହି ପ୍ରସ୍ତାବକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ମଧ୍ୟ ଜଣାଇଥିଲେ। ତେବେ ବିଶେଷ କିଛି ପଦକ୍ଷେପ ନିଆନଯିବା କାରଣରୁ, ୨୦୧୯ ଲୋକସଭା ନିର୍ବାଚନରେ ନବୀନ ଭିନ୍ନ ଏକ ରାଜନୈତିକ ଗୋଟି ଚଳାଇଥିଲେ। ବିଜେଡି ପକ୍ଷରୁ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା।
ଉଲ୍ଲେଖଥାଉକି, ୨୦୧୦ରେ ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ପାରିତ ହୋଇଥିଲା। ୨୦୧୪ରେ ପଞ୍ଚଦଶ ଲୋକସଭା ଭାଙ୍ଗିବା ପରେ ଏହି ବିଲ୍ ଅକାମୀ ହୋଇଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବିଲ୍କୁ ଷୋଡ଼ଶ ଲୋକସଭାରେ ଆଗତ କରାଯାଇନଥିଲା । ଏପରିକି ବିଭିନ୍ନ ରାଜନୈତିକ ଦଳର ଦାବି ସତ୍ତ୍ବେ ସପ୍ତଦଶ ଲୋକସଭାରେ ବିଲ୍କୁ ଆଗତ କରିବାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଗୁରତ୍ବପୂର୍ଣ୍ଣ କଥା ହେଉଛି ଗତବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟରେ ମହିଳା ଆରକ୍ଷଣ ବିଲ୍ ପାରିତ କରିବା ଦାବି କରି ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ୱିମେନ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଥିଲା। ଏହା ଏକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ ବୋଲି ଟିପ୍ପଣୀ କରିବା ସହିତ କେନ୍ଦ୍ର ସରକାରଙ୍କ ଠାରୁ ସୁପ୍ରିମକୋର୍ଟ ଜବାବ ତଲବ କରିଥିଲେ।