ଦେଶରେ ୩୩ ହଜାର ନୂଆ ମାମଲା: କେରଳରେ ପଜିଟିଭ୍‌ ହାର କମୁଛି

ନୂଆଦିଲ୍ଲୀ : କେରଳରେ ସଂକ୍ରମଣ ଧୀରେ ଧୀରେ କମୁଛି। ଗତ ୨୪ ଘଣ୍ଟାରେ କେରଳରେ ୨୫,୦୧୦ ନୂଆ ମାମଲା ଚିହ୍ନଟ ହୋଇଥିଲା ଏବଂ ୧୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୨ ସପ୍ତାହ ତଳେ କେରଳ ପଜିଟିଭ୍‌ ହାର ୨୦ ପ୍ରତିଶତ ଉପରେ ଥିଲା। କିନ୍ତୁ ଏବେ ଏହା ୧୬.୫୩ ପ୍ରତିଶତକୁ ଖସି ଆସିଛି। କେରଳରେ ମୋଟ୍‌ ସଂକ୍ରମଣ ମାମଲା ୪୩,୩୪,୭୦୪ ପହଞ୍ଚିଥିବା ବେଳେ ମୋଟ୍‌ ମୃତ୍ୟୁସଂଖ୍ୟା ୨୨,୩୦୩ ରହିଛି। ଅନ୍ୟପକ୍ଷେ ଦେଶରେ ୩୩,୩୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୦୮ ଜଣଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୨,୦୮,୩୩୦କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୩,୯୧,୫୧୬ ରହିଛି ଏବଂ ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୧୮ ପ୍ରତିଶତ।

ଦେଶରେ ସାପ୍ତାହକି ପଜିଟିଭ୍‌ ହାର ୨.୨୬ ପ୍ରତିଶତ। ୭୮ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ୨.୧୦ ପ୍ରତିଶତ। ୧୨ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଦେଶରେ ଏଯାବତ୍‌ ୫୪.୦୧ କୋଟି କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଶୁକ୍ରବାର କେବଳ ୧୫,୯୨,୧୩୫ ନମୁନାର ପରୀକ୍ଷା ହୋଇଛି। ଦେଶରେ ମୋଟ୍‌ ଟିକାକରଣ ୭୩ କୋଟି ଟପିଯାଇଛି। କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ପ୍ରାୟ ୯୦ ପ୍ରତିଶତ ରହିଛି। କେବଳ କେରଳରେ ୭୪.୯୩ ପ୍ରତିଶତ ସଂକ୍ରମଣ ମାମଲା ରହିଛି। ଶନିବାର କେରଳରେ ସର୍ବାଧିକ ୧୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଏହାପରେ ମହାରାଷ୍ଟ୍ରରେ ୪୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର