କୋଝିକୋଡ଼: ସାଉଦି ଆରବରେ ମାଚିଲାକଥ ଅବଦୁଲ ରହିମଙ୍କ ଫାଶୀଦଣ୍ଡ ଲାଗୁ ହେବାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ରହିମଙ୍କୁ ବଞ୍ଚାଇବା ପାଇଁ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ ସମେତ ସମସ୍ତ ଧର୍ମ ଓ ବିଶ୍ୱାସର କେରଳବାସୀ ଏକାଠି ହୋଇଛନ୍ତି। ଦିନ ମଜୁରିଆଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ପ୍ରବାସୀଙ୍କଠାରୁ ଆରମ୍ଭ କରି ରାଜ୍ୟର ଅତିଥି ଶ୍ରମିକଙ୍କ ପର୍ଯ୍ୟନ୍ତ ସବୁ ବର୍ଗର କେରଳବାସୀ ରହିମଙ୍କ ମୁକ୍ତି ପାଇଁ ଆବଶ୍ୟକ ୩୪ କୋଟି ଟଙ୍କାର ବ୍ଲଡ୍ ମନି (ନିହତ ହୋଇଥିବା ପରିବାର ସଦସ୍ୟଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ) ସଂଗ୍ରହ କରିଛନ୍ତି। କୋଡାମ୍ପୁଜାର ବାସିନ୍ଦା ରହିମ ଫେରୋକରେ ଜଣେ ଅଟୋ ଚାଳକ ଥିଲେ ଏବଂ ସେ ନଭେମ୍ବର ୨୦୦୬ରେ ସାଉଦି ଆରବ ଯାଇଥିଲେ। ଜଣେ ସାଉଦି ନାଗରିକ ଅବଦୁଲ୍ଲା ଅବଦୁର ରହମାନ ଅଲ ଶାହରିଙ୍କ ଘରେ ସେ ଡ୍ରାଇଭର ଭାବରେ କାମ କରୁଥିଲେ। ତାଙ୍କୁ ମୁଖ୍ୟତଃ ଅଲ୍ ଶାହରିଙ୍କ ଭିନ୍ନକ୍ଷମ ପୁଅ ଅନସ୍‌ ଅଲ୍ ଶାହରିଙ୍କ ଦାୟିତ୍ୱ ଦିଆଯାଇଥିଲା। ସାଉଦିରେ ପହଞ୍ଚିବାର ମାତ୍ର ଗୋଟିଏ ମାସ ପରେ ରହିମ ଅନସଙ୍କୁ ନେଇ ବାହାରକୁ ଯାଇଥିଲେ। ଅନସ ହଠାତ୍ ରାଗିଯିବାରୁ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ତାଙ୍କ ହାତ ପୁଅର ଗଳାରେ ଲାଗିଥିବା ଏକ ପାଇପ୍‌ରେ ବାଜିଯାଇଥିଲା। ଏହାପରେ ଅନନ୍‌ ଚେତାଶୂନ୍ୟ ହୋଇ ଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ରିୟାଦର ଏକ ଅଦାଲତ ରହିମଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହାକୁ ଉଚ୍ଚ ଅଦାଲତ ମଧ୍ୟ ବଜାୟ ରଖିଥିଲେ।

Advertisment

ବିଭିନ୍ନ ସଂଗଠନର ହସ୍ତକ୍ଷେପ ସତ୍ତ୍ୱେ ସାଉଦି ପରିବାର ଏତେ ବର୍ଷ ଧରି ରହିମଙ୍କୁ କ୍ଷମା ଦେବାକୁ ଚାହୁ ନ ଥିଲେ, କିନ୍ତୁ ପରେ ଏପ୍ରିଲ ୧୬ ସୁଦ୍ଧା ୧୫ ନିୟୁତ ସାଉଦି ରିୟାଲ (୩୪ କୋଟି ଟଙ୍କା) ବଦଳରେ ରହିମଙ୍କୁ କ୍ଷମା ଦେବାକୁ ରାଜି ହୋଇଥିଲେ। ରହିମଙ୍କ ମୁକ୍ତି ପାଇଁ ଗଠିତ ଏକ ଆଇନଗତ ସହାୟତା କମିଟି ଏହି ବିଶାଳ କାର୍ଯ୍ୟ ହାତକୁ ନେଇଥିଲା। କମିଟି ସମସ୍ତ ଆବଶ୍ୟକ ଅନୁମତି ନେଇ ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟ ଚଳାଇଥିଲା। ମାଲାପୁରମସ୍ଥିତ ଏକ ଆଇଟି ସେବା କମ୍ପାନି ସହାୟତାରେ ଏକ ଆପ୍ ପ୍ରସ୍ତୁତ କରାଯାଇଥିଲା। ଏଥିସହ ୧୦ ସଦସ୍ୟଙ୍କୁ ନେଇ ୫ଟି ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରାଯାଇ ପାଣ୍ଠି ସଂଗ୍ରହ ଅଭିଯାନର ବିବରଣୀ ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଥିଲା। କମିଟି ଆବାହକ କେକେ ଅଲିକୁଟ୍ଟି କହିଛନ୍ତି ଯେ ଅଧିକାଂଶ ଯୋଗଦାନକାରୀ ସାଧାରଣ ଲୋକ। ମାତ୍ର ୨୦ ଦିନ ତଳେ ୨ କୋଟି ଟଙ୍କା ଥିବା ଏହି ପାଣ୍ଠି ସଂଗ୍ରହରେ ଗତ କିଛି ଦିନ ହେଲା ହଠାତ୍ ବୃଦ୍ଧି ଘଟିଥିବା ବେଳେ ଦୈନିକ ଆଦାୟ ୫ରୁ ୬ କୋଟି ଟଙ୍କା ଛୁଇଁଥିଲା। ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ବେଳେ ନଗଦ ରାଶିକୁ ମିଶାଇ ସମୁଦାୟ ଆଦାୟ ୩୪.୪ କୋଟି ଟଙ୍କା ଛୁଇଁବାରୁ କମିଟି ପାଣ୍ଠି ସଂଗ୍ରହ ବନ୍ଦ କରିଦେଇଥିଲା।