ବିଷାକ୍ତ ମଦ ପିଇ ୩୪ ମୃତ

ପାଟନା : ବିହାରର ପଶ୍ଚିମ ଚମ୍ପାରଣ ଏବଂ ଗୋପାଳଗଞ୍ଚ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଚମ୍ପାରଣ ଜିଲ୍ଲା ଅଧୀନସ୍ଥ ତେହ୍ଲୁ୍ଆ ଗ୍ରାମରେ ଗୁରୁବାର ଦିନ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଞ୍ଜରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ତେହ୍ଲୁଆ ମଦମୃତ୍ୟୁ ଘଟଣା ଗତ ୧୦ ଦିନ ମଧ୍ୟରେ ତୃତୀୟ ଘଟଣା। ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇଥିବା ବେଳେ ଚୋରା ମଦର ବନ୍ୟା ଛୁଟିଥିବାରୁ ଏଭଳି ବିଭୀଷିକା ସୃଷ୍ଟି ହୋଇଛି।

ଏହି ଘଟଣା ପରେ ପୁଲିସ ପ୍ରଶାସନ ତତ୍ପରତାର ସହ ଉଭୟ ଜିଲ୍ଲାର ଶତାଧିକ ସ୍ଥାନରେ ଚଢ଼ଉ କରିଛି ଏବଂ ୬୦ ଜଣଙ୍କୁ ଗିରଫ କରାଯାଇଛି। ବିହାର ମନ୍ତ୍ରୀ ଜନକ ରାମ ଗୋପାଳଗଂଜ ଯାଇ ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ଚୋରା ମଦ କାରବାରକୁ ରୋକିବା ପାଇଁ ଅଧିକ କଠୋର ପଦକ୍ଷେପ ନିମନ୍ତେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳଗଂଜ ଏସ୍‌ପି ଆନନ୍ଦ କୁମାର କହିଛନ୍ତି, ରହସ୍ୟଜନକ ଭାବେ କିଛି ଲୋକଙ୍କର ମହମ୍ମଦପୁର ଗ୍ରାମରେ ମୃତ୍ୟୁ ହୋଇଛି। ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ପଛରେ ବିଷାକ୍ତ ମଦ ହିଁ ମୁଖ୍ୟ କାରଣ ବୋଲି ଗ୍ରାମବାସୀମାନେ କହିଛନ୍ତି। ୩ଟି ଟିମ୍‌ ଏହି ଘଟଣାର ତଦନ୍ତ କରୁଛନ୍ତି।

ମହମ୍ମଦପୁରରେ ଗୁରୁବାର ଦିନ ୭ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମଦମୃତ୍ୟୁ ଘଟଣା ନେଇ ସମୀକ୍ଷା କରିବା ସହ ମଦ ବିରୋଧୀ ଅଭିଯାନକୁ ଅଧିକ ବ୍ୟାପକ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ବିହାର ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ଆର୍‌ଜେଡି ସରକାରକୁ ଘେରିଛି।

ସମ୍ବନ୍ଧିତ ଖବର