ଉପସାଗରୀୟ ରାଷ୍ଟ୍ରରେ ବଢ଼ୁଛି ଭାରତୀୟଙ୍କ ମୃତ୍ୟୁ, ୫ ବର୍ଷରେ ୩୪,୦୦୦

ହାଇଦ୍ରାବାଦ୍‌: କୁଏତ୍‌, ସାଉଦି ଆରବ, ବାହରିନ୍‌, କତାର, ଓମାନ୍‌ ଏବଂ ୟୁଏଇ ପରି ୬ଟି ଉପସାଗରୀୟ ରାଷ୍ଟ୍ରରେ ପ୍ରତିଦିନ ହାରାହାରି ୧୫ ଭାରତୀୟ ଆପ୍ରବାସୀ ପ୍ରାଣ ହରାଉଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମଧ୍ୟରେ ଉପସାଗରୀୟ ରାଷ୍ଟ୍ରରେ ୩୩,୯୮୮ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଚଳିତ ବର୍ଷ ମଧ୍ୟ ୪୮୨୩ ଭାରତୀୟଙ୍କର ଉପସାଗରୀୟ ରାଷ୍ଟ୍ରରେ ମୃତ୍ୟୁ ହୋଇଛି।‌ ଲୋକସଭାରେ ଆଜି କଂଗ୍ରେସ ସାଂସଦ ଏବଂ ଟିପିସିସି ଅଧ୍ୟକ୍ଷ ଏନ୍‌ ଉତ୍ତମ କୁମାର ରେଡ୍ଡିଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲିଧରନ ଏହା ଅବଗତ କରାଇଛନ୍ତି। ତେବେ ସାଉଦି ଆରବ ଏବଂ ୟୁଏଇରେ ଅଧିକାଂଶ ଭାରତୀୟଙ୍କ ମୃତ୍ୟୁ ହେଉଥିବା ସେ କହିଛନ୍ତି।

୨୦୧୪ରୁ ୨୦୧୯ ମଧ୍ୟରେ ସାଉଦି ଆରବରେ ୧୯୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୟୁଏଇରେ ୧୪୫୧, କୁଏତ୍‌ରେ ୫୮୪, ଓମାନ୍‌ରେ ୪୦୨, କତାରରେ ୨୮୬, ବାହରିନ୍‌ରେ ୧୮୦ ଭାରତୀୟଙ୍କର ମୃତ୍ୟୁ ହୋଇଛି। ଉପସାଗରୀୟ ରାଷ୍ଟ୍ର‌ରେ କାମ କରୁଥିବା ଅଧିକାଂଶ ବ୍ୟକ୍ତି ଋଣ ଏବଂ ଚିନ୍ତା ପାଇଁ ସେମାନଙ୍କ ଜୀବନ ହାରୁଛନ୍ତି। ଅତ୍ୟଧିକ କଷ୍ଟଦାୟକ ପରିସ୍ଥିତିରେ କାର୍ଯ୍ୟ କରିବା ଯୋଗୁ ସ୍ବା‌ସ୍ଥ୍ୟରେ ଅବନତି ଘଟୁଛି। ୨୦୧୪ରେ ୫,୩୮୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୫ରେ ୫,୭୮୬, ୨୦୧୬ରେ ୬,୦୧୩ , ୨୦୧୭ରେ ୫,୬୦୪, ୨୦୧୮ରେ ୬,୦୧୪ ଏବଂ ୨୦୧୯ରେ ୪,୮୨୩ ଭାରତୀୟଙ୍କ ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ ଭାରତରେ ତେଲେଙ୍ଗାନା ରାଜ୍ୟରୁ ସବୁଠୁ ଅଧିକ ଲୋକ ଉପସାଗରୀୟ ରାଷ୍ଟ୍ର‌ରେ ପ୍ରାଣ ହରାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ତେଲେଙ୍ଗାନାରୁ ୧୨୦୦ ଜଣ ଉପସାଗରୀୟ ରାଷ୍ଟ୍ର‌ରେ ପ୍ରାଣ ହରାଇଥିବା ତଥ୍ୟରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ଉପସାଗରୀୟ ରାଷ୍ଟ୍ର ଏନ୍‌ଆରଆଇଙ୍କଠାରୁ ୧୫,୦୫୧ ଅଭିଯୋଗ ମିଳିଛି। ଅଧିକାଂଶ କ୍ଷେତ୍ରରେ ନିଯୁକ୍ତି କ୍ଷେତ୍ରରେ ଏଜେଣ୍ଟ୍‌ଙ୍କ ଦ୍ବାରା ଠକାମିର ଶିକାର ହୋଇଥିବା ଅଭି‌ଯୋଗ ହୋଇଛି। ସେହିପରି ଦରମା ମିଳୁନଥିବା ନେଇ ମଧ୍ୟ ଅଧିକାଂଶ ଭାରତୀୟଙ୍କ କର୍ମଚାରୀଙ୍କଠାରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର