ପୁଣି ତେଜିଲା ଇରାନ-ଆମେରିକା ଉତ୍ତେଜନା : କୁଦସ ଫୋର୍ସର ନୂଆ କମାଣ୍ଡର ଘନିଙ୍କୁ ହତ୍ୟା କରିବାକୁ ଆମେରିକାର ଧମକ

ଓ୍ଵାସିଂଟନ : ଇରାନର ନୂଆ କୁଦସ ଫୋର୍ସ କମାଣ୍ଡର ଇସମାଇଲ ଘାନିଙ୍କୁ ମଧ୍ୟ ହତ୍ୟା କରିବାକୁ ଆମେରିକା ଧମକ ଦେଇଛି । ଇରାନରେ ଅବସ୍ଥାପିତ ସ୍ୱତନ୍ତ୍ର ପ୍ରତିନିଧି ବ୍ରାୟାନ ହୁକ କହିଛନ୍ତି ଯେ ଘାନିକୁ ମଧ୍ୟ ମାରିଦିଆଯିବ । ଏହା ପରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଉତ୍ତେଜନା ବଢିଯାଇଛି । ଆମେରିକାର ଏହି ଧମକକୁ ଋଷିଆ ନିନ୍ଦା କରିଛି ।

ଅନ୍ୟପକ୍ଷରେ ଗତ ୮ ତାରିଖରେ ଇରାକସ୍ଥିତ ଆମେରିକୀୟ ସେନା ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାୟ ୩୪ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଆମେରିକୀୟ ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ସ୍ୱୀକାର କରିଛି । ଏହି ସୈନ୍ୟମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି । ପୂର୍ବରୁ ଆମେରିକା ଏହାକୁ ଅସ୍ୱୀକାର କରୁଥିଲା ।

ଇସମାଇଲ ଘାନି
image credit : wikipedia

ପୂର୍ବରୁ ଏହି ୩୪ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ଚିକିତ୍ସା ପାଇଁ ପୂର୍ବରୁ ଜର୍ମାନିକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆମେରିକା ପଠାଇଦିଆଯାଇଛି । ଆଉ ୯ ଜଣ ଯବାନ ଏବେ ବି ଜର୍ମାନିରେ ଚିକିତ୍ସିତ ହେଉଛନ୍ତି । ଆଉ ୧୭ ଜଣ ଆହତ ଯବାନ ସୁସ୍ଥ ହୋଇ ଇରାକ ଫେରିଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି ବୋଲି ପେଣ୍ଟାଗନର ମୁଖପାତ୍ର ଜୋନାଥନ ହଫମାନ କହିଛନ୍ତି । ସେ କହିଛନ୍ତି ଯେ ମୁଣ୍ଡରେ ଆଘାତ ଲାଗିଥିବା ସୈନିକମାନଙ୍କ ଲକ୍ଷଣ କିଛି ଦିନ ପରେ ଦେଖାଦେଇଥିଲା । ଏଣୁ ପ୍ରଥମେ ଆହତଙ୍କ ସଂଖ୍ୟା କମ ଦର୍ଶାଯାଇଥିଲା ।

ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ୫ ଦିନ ପରେ ଅର୍ଥାତ ୮ ତାରିଖରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏଥିରେ ୮୦ ଜଣ ଆମେରିକୀୟ ସୈନିକ ନିହତ ହୋଇଛନ୍ତି ବୋଲି ଇରାନ ଦାବି କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଅସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର