ବିଜେପିକୁ ଝଟ୍‌କା! ମହୀଶୂରର ପ୍ରଥମ ମୁସଲିମ୍‌ ମହିଳା ମେୟର ରୂପେ ନିର୍ବାଚିତ ହେଲେ ଜେଡି(ଏସ୍‌)ର ତସ୍‌ନିମ୍‌

ମହୀଶୂର: ମହୀଶୂରର ପ୍ରଥମ ମୁସଲିମ୍‌ ମହିଳା ମେୟର ରୂପେ ନିର୍ବାଚିତ ହୋଇଛନ୍ତି ତସ୍‌ନିମ୍‌। ଜେଡି (ଏସ୍‌)ର କର୍ପୋରେଟର ରୂପେ ନିର୍ବାଚିତ ହୋଇଥିବା ତସ୍‌ନିମ୍‌ ଆଜି ଅନୁଷ୍ଠିତ ହୋଇଥିବା ମହୀଶୂର ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ଗୀତା ଯୋଗାନନ୍ଦାଙ୍କୁ ୨୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। ଏଥିସହ ମହୀଶୂରର ପ୍ରଥମ ମୁସଲିମ୍‌ ମହିଳା ମେୟର ରୂପେ ନିର୍ବାଚିତ ହେବାର ଗୌରବ ହାସଲ କରିଛନ୍ତି ତସ୍‌ନିମ୍‌। ତସ୍‌ନିମ୍‌ ହେବେ ମହୀଶୂରର ୨୨ତମ ମେୟର।

ମହୀଶୂରର ମେୟର ରୂପେ ତସ୍‌ନିମଙ୍କ ବିଜୟକୁ ନେଇ ଜେଡି(ଏସ୍‌)ରେ ବିପୁଳ ଉତ୍ସାହ ପ୍ରକାଶ ପାଇଥିବା ବେଳେ ତସ୍‌ନିମ୍‌ଙ୍କ ବିଜୟ ବିଜେପି ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଛି। କାରଣ, କର୍ଣ୍ଣାଟକରେ ଏବେ ବିଜେପି ଶାସନ କ୍ଷମତାରେ ରହିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ମହୀଶୂରର ମେୟର ପଦବୀ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଶୋଚନୀୟ ଭାବେ ପରାସ୍ତ କରି ଜେଡି(ଏସ୍‌)ର ମହିଳା ମୁସଲିମ୍‌ ପ୍ରାର୍ଥୀ ତସ୍‌ନିମ୍‌ ବିପୁଳ ବିଜୟ ହାସଲ କରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହିଁ ବିଜେପି।

ମେୟର ପଦବୀ ପାଇଁ ହୋଇଥିବା ନିର୍ବାଚନରେ ୭୦ ଜଣ କର୍ପୋରେଟରଙ୍କ ମଧ୍ୟରୁ ୪୭ ଜଣ ଜେଡି(ଏସ୍‌) ପ୍ରାର୍ଥୀ ତସ୍‌ନିମ୍‌ଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ଗୀତା ଯୋଗାନନ୍ଦାଙ୍କୁ ମିଳିଥିଲା ମାତ୍ର ୨୩ ଖଣ୍ଡ ଭୋଟ। ମେୟର ରୂପେ ନିର୍ବାଚିତ ହେବା ପରେ ତସ୍‌ନିମ୍‌ କହିଛନ୍ତି ମହୀଶୂରକୁ ଦେଶର ଅନ୍ୟତମ ଶ୍ରେଷ୍ଠ ସହର ଭାବେ ଗଢ଼ି ତୋଳିବା ପାଇଁ ମୁଁ ସବୁମତେ ଉଦ୍ୟମ କରିବି।

ସମ୍ବନ୍ଧିତ ଖବର