ବିହାର: ୨୦୧୭ରେ ୩,୪୦୦ ଜଣ ବରଙ୍କୁ କରାଯାଇଛି ଅପହରଣ

ଦୈନିକ ହେଉଛି ୯ଟି ‘ପକୋଡ଼ିଆ ବିବାହ’

ପାଟନା: ପଢ଼ିବାକୁ ଓ ଶୁଣିବାକୁ ଆଶ୍ଚର୍ଯ୍ୟ ମନେହେଉଥିଲେ ବି ଘଟଣାଟି ସତ୍ୟ। ବିହାରରେ ଗତ ୨୦୧୭ରେ ୩,୪୦୦ ଜଣ ବରଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନିଆଯିବା ପରେ ସେମାନଙ୍କୁ ବଳପୂର୍ବକ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ବିବାହ ବନ୍ଧନରେ ବାନ୍ଧି ଦିଆଯାଇଛି। ଏ ପ୍ରକାର ବିବାହକୁ ବିହାରରେ ଆଞ୍ଚଳିକ ଭାଷାରେ କୁହାଯାଉଛି, ‘ପକାଡ଼ୁଆ ବିବାହ’ ବା ଧରିଆଣି ବିବାହ। ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ୍‌ ବିହାରର ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ।

‘ବିହାରରେ ଏବେ ଏହି ପକାଡ଼ୁଆ ବିବାହ ବ୍ୟାପକ ହୋଇଛି। ଗତବର୍ଷ ୩,୪୦୫ ଜଣ ବରଙ୍କୁ ଅପହରଣ କରିନିଆଯିବା ପରେ ସେମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ବଳପୂର୍ବକ ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରାଇ ଦିଆଯାଇଛି’, ବୋଲି କହିଛନ୍ତି ସଂପୃକ୍ତ ବରିଷ୍ଠ ପୋଲିସ୍‌ ଅଧିକାରୀ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ଏହିପରି ଏକ ଘଟଣାକ୍ରମରେ ବିହାରର ଏକ ଗ୍ରାମରେ ଜନୈକ ଇଞ୍ଜିନିୟରଙ୍କୁ ଅପହରଣ କରି ନିଆଯିବା ପରେ ବଳପୂର୍ବକ ଭାବେ ତାଙ୍କର ‘ପକୋଡ଼ିଆ ବିବାହ’ କରି ଦିଆଯାଇଥିଲା। ତେବେ, ବିବାହ ପରେ ସେ ତାଙ୍କ ନବବିବିହିତା ପତ୍ନୀଙ୍କୁ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ। ପରେ ଏହି ଘଟଣା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଘଟଣା ପଛର ସତ୍ୟ ପଦାକୁ ଆସିଛି।

NewsX

ଅନ୍ୟପକ୍ଷରେ ଏହି ‘ପକୋଡ଼ିଆ ବିବାହ’ ଏବେ ବୃଦ୍ଧି ପାଇବା ଘଟଣା ବିହାର ପ୍ରଶାସନ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୋଲିସ୍‌ ରେକର୍ଡ ଅନୁଯାୟୀ ବିହାରରେ ୨୦୧୭ରେ ୩,୪୦୫; ୨୦୧୬ରେ ୩,୦୭୦; ୨୦୧୫ରେ ୩,୦୦୦ ଓ ୨୦୧୪ରେ ୨,୫୨୬ଟି ‘ପକୋଡ଼ିଆ ବିବାହ’ ସଂପନ୍ନ ହୋଇଛି। ଏବେ, ବିହାରରେ ଦୈନିକ ଅନ୍ୟୂନ ୯ଟ ‘ପକୋଡ଼ିଆ ବିବାହ’ ହେଉଥିବା ସ୍ୱୀକାର କରିଛି ବିହାର ପୋଲିସ୍‌ ପ୍ରଶାସନ। ସେଥିପାଇଁ ବିବାହ ଋତୁରେ ‘ପକୋଡ଼ିଆ ବିବାହ’ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ଏବେ ସମସ୍ତ ଜିଲ୍ଲା ପୋଲିସ୍‌ ଏସ୍‌ପିମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିହାରରେ ଏବେ ଯୌତୁକ ପ୍ରଥା ବ୍ୟାପକ ହୋଇଛି। ବିନା ଯୌତୁକରେ ବିବାହ ପାଇଁ କେହି ରାଜି ହେଉନାହାନ୍ତି। ସେଥିପାଇଁ ବିବାହଯୋଗ୍ୟା କନ୍ୟାମାନଙ୍କୁ ବିବାହ ଦେବାପାଇଁ କନ୍ୟାର ପରିବାର ଲୋକେ ବରମାନଙ୍କୁ ଅପହରଣ କରିଆଣି ବନ୍ଧୁକମୁନରେ ସେମାନଙ୍କୁ ଭୟଭୀତ କରାଇ କନ୍ୟାର ବିବାହ ‘ପକୋଡ଼ିଆ ବିବାହ’ ବର ସହ ସଂପନ୍ନ କରାଉଛନ୍ତି। ଅନେକ କ୍ଷେତ୍ରରେ ଏବେ ଏହି କାର୍ଯ୍ୟ ପାଇଁ ଭଡ଼ାଟିଆ ଗୁଣ୍ଡାମାନଙ୍କୁ କନ୍ୟାର ପରିବାର ବର୍ଗ ନିୟୋଜିତ କରୁଥିବା ଘଟଣା ପୋଲିସ୍‌ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର