ପାଞ୍ଚ ବର୍ଷରେ ଭାରତରେ ୩୪୭ ପରିମଳ କର୍ମଚାରୀଙ୍କ ମୃତ୍ୟୁ, ୟୁପିରେ ସର୍ବାଧିକ

ନୂଆଦିଲ୍ଲୀ : ଗତ ୫ ବର୍ଷ ଭିତରେ ଭାରତରେ ୩୪୭ ଜଣ ପରିମଳ (ସଫେଇ) କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଲୋକସଭାରେ ତଥ୍ୟ ଦେଇଛନ୍ତି। ଦୁଇଜଣ ବିଜେପି ସାଂସଦ ସୁବ୍ରତ ପାଠକ ଓ ମନୋଜ ତିୱାରିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଲେ ଯେ, ବିପଜ୍ଜନକ ନର୍ଦ୍ଦମା ଓ ପାଇଖାନା ଟାଙ୍କି ସଫା କରିବା ବେଳେ ମୃତ୍ୟୁବରଣ କରୁଥିବା ସଫେଇ କର୍ମଚାରୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ଅଛନ୍ତି।

ହାତରେ ମଇଳା ଉଠାଉଥିବା ସଫେଇ କର୍ମଚାରୀଙ୍କ ମୃତ୍ୟୁର ବାର୍ଷିକ ତଥ୍ୟ ମଧ୍ୟ ସରକାର ପ୍ରଦାନ କରିଛନ୍ତି। ଗତ ପାଞ୍ଚ ବର୍ଷରେ ୨୦୧୯ରେ ସବୁଠାରୁ ଅଧିକ ୧୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୭ରେ ସବୁଠାରୁ କମ୍ ୯୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ୫ ବର୍ଷରେ ସଫେଇ କର୍ମଚାରୀଙ୍କ ମୃତ୍ୟୁର ରାଜ୍ୟଭିତ୍ତିକ ତଥ୍ୟ ମଧ୍ୟ ମନ୍ତ୍ରୀ ପ୍ରଦାନ କରିଥିଲେ। ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତା’ ପଛକୁ ତାମିଲନାଡ଼ୁରେ ୪୮ ଜଣ ଓ ଦିଲ୍ଲୀରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୯ରେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୨୬ ଜଣ ସେପ୍ଟିକ୍ ଟାଙ୍କି କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ଅଧିକନ୍ତୁ ୨୦୨୨ରେ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ତାମିଲନାଡ଼ୁରେ ୫ ଜଣ ଓ ତା’ ପଛକୁ ଉତ୍ତରପ୍ରଦେଶରେ ୪ ଜଣଙ୍କ ମୃତ୍ୟୁ ହୋଇଛି।।

ଏପରି ଘଟଣା ପାଇଁ ସରକାର କି ପ୍ରତିକାର କରୁଛନ୍ତି ସେ ବିଷୟରେ ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମଇଳା ନାଳ (ସିଓରେଜ୍ ଲାଇନ୍) ସଫେଇ ପାଇଁ କାଉନ୍ସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ) ପକ୍ଷରୁ ଏକ ଯାନ୍ତ୍ରିକ ସମାଧାନ ବାହାର କରାଯାଇଛି। ଯନ୍ତ୍ର ସାହାଯ୍ୟରେ ମଇଳା ନାଳ ସଫା କରାଯିବ ଏବଂ ସେଥିପାଇଁ ଆଉ ସଫେଇ କର୍ମଚାରୀଙ୍କର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ପାଇଖାନା ଟାଙ୍କି ବା ନାଳ ସଫା କରିବାକୁ ଯାଇ ଆଉ ଅବାଞ୍ଛିତ ମୃତ୍ୟୁ ବି ଘଟିବ ନାହିଁ। ଏହାଛଡ଼ା ସରକାର ହାତରେ ମଇଳା ସଫେଇର ସମାଧାନ ପାଇଁ ଅନେକ ଯୋଜନା କରିଛନ୍ତି, ଯଥା ନ୍ୟାସନାଲ ଆକ୍ସନ ପ୍ଲାନ୍ ଫର ମେକାନାଇଜ୍‌ଡ ସାନିଟେସନ ଇକୋସିଷ୍ଟମ୍ (ନମସ୍ତେ), ସ୍ବଚ୍ଛ ଉଦ୍ୟମୀ ଯୋଜନା, ହାତରେ ମଇଳା ସଫା କରୁଥିବା ଲୋକଙ୍କ ଥଇଥାନ ପାଇଁ ଆତ୍ମନିଯୁକ୍ତି ଯୋଜନା ଇତ୍ୟାଦି ବୋଲି ମନ୍ତ୍ରୀ ବୀରେନ୍ଦ୍ର କୁମାର କହିଥିଲେ।

ସମ୍ବନ୍ଧିତ ଖବର