ପଶ୍ଚିମ ଆଫ୍ରିକାର ବୁର୍କିନା ଫାସୋରେ ଜିହାଦୀ ଆକ୍ରମଣ; ୩୫ ସାଧାରଣ ନାଗରିକ, ୮୦ ଜିହାଦୀ ନିହତ

କ୍ୱାଗାଦୁଗୁ: ମଙ୍ଗଳବାର ସନ୍ଧ୍ୟା ବେଳେ ପଶ୍ଚିମ ଆଫ୍ରିକା ଅନ୍ତର୍ଗତ ଉତ୍ତର ବୁର୍କିନା ଫାସୋର ଏକ ସହରରେ ଜିହାଦୀମାନଙ୍କ ଆକ୍ରମଣ ଯୋଗୁଁ ୩୫ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ନିରାପତ୍ତା ବଳଙ୍କ ସହ ସଂଘର୍ଷ ଯୋଗୁଁ ଏଥିରେ ୮୦ ଜଣ ଜିହାଦୀ ମଧ୍ୟ ନିହତ ହୋଇଥିବା କଥା ଜଣାପଡ଼ିଛି। ନିହତ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଅଛନ୍ତି ଅଧିକଂଶ ମହିଳା।

ଦେଶର ସାହେଲ ଅଞ୍ଚଳର ଅର୍ବିଣ୍ଡା ସହରରେ ହୋଇଥିବା ଏହି ହିଂସାକାଣ୍ଡ କିଛି ସମୟ ଧରି ଚାଲିଥିବା କଥା ସେନାବହିନୀ କହିଛି। ସଂଘର୍ଷ ଯୋଗୁଁ ୭ ଜଣ ନିରାପତ୍ତା ବଳ ମଧ୍ୟ ନିହତ ହୋଇଛନ୍ତି।

ସମ୍ପୃକ୍ତ ଅଞ୍ଚଳରେ ଜିହାଦୀମାନେ ବାରମ୍ବାର ଆକ୍ରମଣ କରୁଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟାର ଆକ୍ରମଣ ଥିଲା ଅପ୍ରତ୍ୟାଶିତ।

Image Source: Hindustan Times

ରାଷ୍ଟ୍ରପତି ରକ୍‌ ମାର୍କ କ୍ରିଷ୍ଟିଆନ୍‌ କାବୋର୍‌ କହିଛନ୍ତି: ଆମ ସୈନିକମାନଙ୍କ ବୀରୋଚିତ ପଦକ୍ଷେପ ଯୋଗୁଁ ୮୦ ଜଣ ଆତଙ୍କବାଦୀଙ୍କୁ ମାରିବା ସମ୍ଭବ ହେଲା। ଏହି ବର୍ବରୋଚିତ ଆକ୍ରମଣ ଫଳରେ ୩୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା।

ଆକ୍ରମଣ ସମୟରେ ଏ ମହିଳାମାନେ କେଉଁଠି ଥିଲେ ଏବଂ ଏତେ ସଂଖ୍ୟକ ମହିଳା କାହିଁକି ମଲେ ତାହା ହଠାତ୍‌ ଜଣାପଡ଼ିନାହିଁ।

ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି। ବୁର୍କିନୋ ଫାସୋରେ ଗୁଡ଼ାଏ ଇସ୍‌ଲାମୀୟ ଉଗ୍ରବାଦୀ ସଙ୍ଗଠନ ସକ୍ରିୟ ଅଛନ୍ତି। ଏ ଭଳି ଆକ୍ରମଣରେ ସାଧାରଣ ନାଗରିକମାନଙ୍କ ମୃତ୍ୟୁ ସଂଖ୍ୟା ଅଧିକ ହେଲେ ସେମାନେ ନିରବ ରହନ୍ତି।

ସମ୍ବନ୍ଧିତ ଖବର