ଆମେରିକାରେ ୩୫୦ ମୃତ, ବିଶ୍ବବ୍ୟାପୀ ୩ ଲକ୍ଷ ୩୮ ହଜାର ଆକ୍ରାନ୍ତ

୧୪,୫୦୦ ମୃତ, ଭୟାନକ ହେଉଛି ୟୁରୋପ ସ୍ଥିତି

ୱାସିଂଟନ: ୧୮୬ ରାଷ୍ଟ୍ରରେ କାୟା ବିସ୍ତାର କରୁଥିବା କରୋନା ଭାଇରସ୍‌ ଏବେ ୟୁରୋପ ଏବଂ ଆମେରିକାରେ ଭୟାନକ ସ୍ଥିତି ସୃଷ୍ଟି କରିଛି। ବିଶ୍ବ୍ୟବାପୀ କରୋନାରେ ୩ ଲକ୍ଷ ୩୮ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୧୪ ହଜାର ୫ଶହ ଛୁଇଁଛି। ଆମେରିକାରେ ୩୫୦ ଜଣ କରୋନାରେ ପ୍ରାଣ ହରାଇବା ପରେ ସବୁ ଅଂଚଳରେ କଠୋର କଟକଣା ଲାଗୁ ହୋଇଛି। ନ୍ୟୁୟର୍କ, ୱାସିଂଟନ ସମେତ ୧୪ଟି ସହରରେ ଆତଙ୍କ ଲାଗି ରହିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୦୦ ଟପିଛି ଏବଂ ସ୍ଥିତି ଜଟିଳ ହୋଇପଡ଼ିଥିବାରୁ ନାଗରିକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ ହିଁ ଅନୁରୋଧ କରାଯାଇଛି। ୮୦ ନିୟୁତ ଲୋକଙ୍କୁ ଲକ୍‌ଡାଉନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଅତି ଭୟାନକ ସ୍ଥିତି ଉପୁଜିଛି। ଇଟାଲିରେ ଗୋଟିଏ ଦିନରେ ୭୯୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଏଠାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪ ହଜାର ୮ ଶହରେ ପହଞ୍ଚିଛି। ସ୍ପେନ୍‌ରେ ୨ ଦିନରେ ୫ ଶହରୁ ଅଧିକ ଅଧିକ ମୃତ୍ୟୁ ହୋଇଛି ଏବଂ ଏଠାରେ ସମୁଦାୟ ମୃତ୍ୟୁ ସଂଖ୍ୟା ପ୍ରାୟ ୧୮ ଶହରେ ପହଞ୍ଚିଛି। ଇରାନ୍‌ରେ ୨୧ ହଜାର ୭ ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଇରାନ୍‌ରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। କଲମ୍ବିଆରେ ଅଧିକାଂଶ ନାଗରିକଙ୍କୁ ସେଲ୍‌ଫ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୨୪୫କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦୦ ଟପିଛି। ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୦ ଟପିଥିବା ବେଳେ ଏଠାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟ ୨୩ ହଜାର ଅତିକ୍ରମ କରିଛି ଏବଂ ମୃତ୍ୟୁ ସଂଖ୍ୟା ୯୫ରେ ପହଞ୍ଚିଛି। ଫ୍ରାନ୍ସରେ ମୋଟ ୧୪ ହଜାର ୫ ଶହ ଆକ୍ରାନ୍ତ ହୋଇଛନ୍ତି ଏବଂ ଏ ପର୍ଯ୍ୟନ୍ତ କରୋନାରେ ୫୬୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର