ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍ଦାର୍ଙ୍କ ଅଫିସ୍ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ଆପଣା ସମ୍ପ୍ରଦାୟର ସୁରକ୍ଷା ଦାବି କରି ଗତ ସନ୍ଧ୍ୟା ବେଳ ଠାରୁ ଜମ୍ମୁ ଓ କଶ୍ମୀରୀର କେତେକ ପ୍ରାନ୍ତରେ କଶ୍ମୀରୀ ପଣ୍ଡିତମାନେ ପ୍ରତିବାଦ ଆରମ୍ଭ କରିଛନ୍ତି।
ଏହା ସହ ଏହି ହତ୍ୟାକୁ ବିରୋଧ କରି ୩୫୦ ଜଣ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ସମସ୍ତେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏହି ସମସ୍ତ କାଶ୍ମୀରୀ ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଟନ୍ତି। ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ କଶ୍ମୀର ଘାଟିରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଇଥିବା କହିଛନ୍ତି। ଏଥିସହିତ କଶ୍ମୀର ପଣ୍ଡିତମାନେ କିଛି ସମୟ ମଧ୍ୟରେ ଲାଲ ଚୌକରେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଆଉ କେତେକ ସ୍ଥାନରେ ‘ମହମବତି ପଦଯାତ୍ରା’ ମଧ୍ୟ ଆୟୋଜିତ ହୋଇଥିଲା। ଏନେଇ ପୁଲିସ ୮ଜଣଙ୍କୁ ଅଟକ ରଖିଛି।
ସୂଚନାଯୋଗ୍ୟ, ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍ଦାର୍ଙ୍କ ଅଫିସ୍ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍ ଭଟ୍ଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ୩୬ ବର୍ଷିୟ ରାହୁଲ୍ ଗତ ୧୦ ବର୍ଷ ହେବ ବଡ୍ଗାମ୍ ଜିଲ୍ଲାରେ ଚାକିରି କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/t-8.jpg)