ଗୁଜରାଟ ନିର୍ବାଚନ ପୂର୍ବରୁ ୩୫୫୦ ଭିଭିପିଏଟି ମେସିନ୍‌ ଫେଲ୍‌

ଗାନ୍ଧିନଗର: ଆଗାମୀ ଡିସେମ୍ବର ୯ରେ ଗୁଜରାଟରେ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୈତିକ ଦଳୀୟ ନେତାମାନେ ଜୋରଦାର ପ୍ରଚାର ଚଳାଇଥିବା ବେଳେ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ଶେଷ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅପରପକ୍ଷେ ନିର୍ବାଚନ ଆୟୋଗଙ୍କ ଚିନ୍ତା ବଢ଼ି ଯାଇଛି। କାରଣ , ନିିର୍ବାଚନ ଆୟୋଗ ଆଗାମୀ ଡିସେମ୍ବର ୯ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବା ପୂର୍ବରୁ ୩୫୫୦ ଭିଭିପିଏଟି(ଭେରିଫାଇଡ ପେପର ଅଡିଟ ଟ୍ରୋଲ) ମେସିନ ଖରାପ ଥିବା ଜାଣିବାକୁ ପାଇଛନ୍ତି।

ଜାମନଗର, ଦେବଭୂମି ଦ୍ୱାରକା ଓ ପାଟନ ଜିଲ୍ଲାରେ ସବୁଠାରୁ ଅଧିକ ଖରାପ ଭିଭିପିଏଟି ମେସିନ ମିଳିଛି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଗୁଜରାଟରେ ସମୁଦାୟ ୭୦,୧୮୨ଟି ଭିଭିପିଏଟି ମେସିନ ବ୍ୟବହାର ହେବ। ଗୁଜରାଟ ମୁଖ୍ୟ ନିର୍ବାଚନ ଆୟୁକ୍ତ ବିବି ସ୍ୱାଇଁ କହିଛନ୍ତି, ଖରାପ ମେସିନକୁ କାରଖାନାକୁ ଫେରସ୍ତ କରାଯିବ। ଯେଉଁ ମେସିନଗୁଡ଼ିକ ସାମାନ୍ୟ ଖରାପ ଅଛି, ସେଗୁଡ଼ିକୁ ସଜଡ଼ା ଯିବ।

ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ କହିଛନ୍ତି, ଖରାପ ଥିବା ଭିଭିପିଏଟି ମେସିନର ସେନସର, କିଛି ପାଷ୍ଟିକ ସରଞ୍ଜାମ ଓ ମତଦାନ ପେଟିରେ ସମସ୍ୟା ରହିଛି। ନିର୍ବାଚନ ଆୟୋଗ ମତଦାନ ସମୟରେ ଯେମିତି ଅବ୍ୟବସ୍ଥା ନହୁଏ ସେଥିପାଇଁ ୪୧୫୦ ଅତିରିକ୍ତ ମେସିନ ମଗାଇଛି। ଗୁଜରାଟରେ ସମୁଦାୟ ୧୮୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଏଠାରେ ଆଗାମୀ ଡିସେମ୍ବର ୯ରେ ୮୯ଟି ଆସନ ଓ ଡିସେମ୍ବର ୧୪ରେ ୯୩ଟି ସିଟ ପାଇଁ ନିର୍ବାଚନ ହେଇ ଡିସେମ୍ବର ୧୮ରେ ମତଗଣନା ହେବ।

ସମ୍ବନ୍ଧିତ ଖବର