ୱାସିଂଟନ : ମୋବାଇଲ ଫୋନ୍‌ର ଏକ ସମସ୍ୟା ହେଉଛି ଲୋକେ ତାକୁ ବେଶି ଦେଖୁଛନ୍ତି। ୫୦ ବର୍ଷ ତଳେ ଏହି ଫୋନ୍‌କୁ ଉଦ୍ଭାବନ କରିଥିବା ଆମେରିକୀୟ ଇଂଜିନିୟର ମାର୍ଟିନ କୁପର ମୋବାଇଲ ଫୋନର ଅତି-ବ୍ୟବହାର ଓ ଅପବ୍ୟବହାରକୁ ନାପସନ୍ଦ କରିଛନ୍ତି। ସେଲ ଫୋନ୍‌ର ଜନକ କୁପରଙ୍କ କହିବା ଅନୁସାରେ, ଆମେ ପକେଟରେ ରଖୁଥିବା ଏହି‌ ଛୋଟିଆ ଯନ୍ତ୍ରର ଅସୀମ କ୍ଷମତା ଓ ସମ୍ଭାବନା ରହିଛି। ଦିନ ଆସିବ, ଏହା ରୋଗ ଉପରେ ବିଜୟଲାଭ କରିବାରେ ବି ସାହାଯ୍ୟ କରିପାରିବ। କିନ୍ତୁ ବର୍ତ୍ତମାନ ଆମେ ଏହାଦ୍ବାରା ଅତିମାତ୍ରାରେ ଅଭିଭୂତ ହୋଇପଡ଼ିଛୁ। ମୁଁ ଅନେକ ସମୟରେ ଦେଖେ, ଲୋକଟିଏ ରାସ୍ତା ପାରି ହେଉଛି, ଅଥଚ ସେହି ସମୟରେ ମୋବାଇଲ ଫୋନ୍‌କୁ ବି ଦେଖୁଛି। କେତେ ଲୋକଙ୍କ ଉପରେ ଗାଡ଼ି ଚଢ଼ିବା ପରେ ଚେତା ପଶିବ?

Advertisment

୯୪ ବର୍ଷୀୟ କୁପର ଏକ ଆପଲ ଘଣ୍ଟା ଓ ଦାମୀ ଆଇଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଏହି ଫୋନ୍‌ର ନିୟନ୍ତ୍ରିତ ବ୍ୟବହାର ଉପରେ ସେ ଜୋର ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ନାତିନାତୁଣୀଙ୍କ ପରି ସେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ। ୧୯୭୩ ଏପ୍ରିଲ ୩ ତାରିଖରେ ପ୍ରଥମେ ମୋବାଇଲ ଫୋନରେ କଥା ହୋଇଥିବା ଓ ଏହି ଫୋନ୍‌କୁ ତିଆରି କରିଥିବା କୁପର କୁହନ୍ତି, ଯେତେ ଦାମୀ ସର୍ବାଧୁନିକ ସ୍ମାର୍ଟଫୋନ୍ ପାଖରେ ଥିଲେ ବି ସେ ମୁଖ୍ୟତଃ ଲୋକଙ୍କ ସହ କଥା ହେବା ପାଇଁ ଏହା ବ୍ୟବହାର କରନ୍ତି। କୁପର କୁହନ୍ତି, ସେ ତିଆରି କରିଥିବା ପ୍ରଥମ ଫୋନ୍‌ର ଓଜନ ପ୍ରାୟ ଏକ କିଲୋ ଥିଲା ଏବଂ ତା’ର ବ୍ୟାଟେରି ଚାର୍ଜ ୨୫ ମିନିଟ କଥା ହେଲା ପରେ ସରିଯାଉଥିଲା। ଏତେ ଓଜନିଆ ଯନ୍ତ୍ରକୁ ୨୫ ମିନିଟ୍ କାନ ପାଖରେ ଧରି କଥା ହେବା ବି କଷ୍ଟକର ଥିଲା। ଫୋନ୍‌ର ଦାମ୍ ବି ବହୁ ଅଧିକ ଥିଲା। ସେତେବେଳେ କୁପର ମୋଟରୋଲା କମ୍ପାନିରେ କାର୍ଯ୍ୟ କରୁଥିଲେ ଓ ଏହି କମ୍ପାନି ଫୋନ୍‌ ତିଆରିରେ ଯଥେଷ୍ଟ ପୁଞ୍ଜିନିବେଶ କରିଥିଲା। ଆଜି ସେହି ଫୋନ୍‌ରେ କେତେ ଉନ୍ନତି ହେଲାଣି ତା’ର ଠିକଣା ନାହିଁ। ଆଗକୁ ବି ଅନେକ ସମ୍ଭାବନା ଅଛି ବୋଲି କୁପର କହିଛନ୍ତି।