ନୂଆଦିଲ୍ଲୀ: ପୁ୍ଅର ଅନଲାଇନ ଗେମ୍ ନିଶା ପାଇଁ ହାଇଦ୍ରାବାଦର ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ୍ ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଯାଇଛି। ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ମୋଟ୍ ୩୬ ଲକ୍ଷ ଟଙ୍କା ତାଙ୍କ ପୁଅ ଶେଷ କରିଦେଇଛି। ହାଇଦ୍ରାବାଦର ଅମ୍ବରପ୍ରିତ ଅଞ୍ଚଳର ଜଣେ ୧୬ ବର୍ଷର ବାଳକ ଏକାଦଶ ଶ୍ରେଣୀରେ ପଢ଼ନ୍ତି। ଅନଲାଇନ ଗେମ୍ ଖେଳିବା ତାଙ୍କ ନିଶା ହୋଇଯାଇଛି। ହାଇଦ୍ରାବାଦ ପୁଲିସର ଅପରାଧ ଶାଖା ଅନୁଯାୟୀ ବାଳକ ଜଣଙ୍କ ପ୍ରଥମେ ନିଜ ଜେଜେମା’ଙ୍କ ମୋବାଇଲ ଫୋନ୍ରେ ଲୋକପ୍ରୀୟ ଫ୍ରି ଗେମିଂ ଆପ୍ ଡାଉନଲୋଡ୍ କଲା। ଏହା ଏକ ଫ୍ରି ଗେମ୍। କିନ୍ତୁ ବାଳକ ଜଣଙ୍କ ଏହି ଗେମ୍ରେ ଟଙ୍କା ଲଗାଇବା ଆରମ୍ଭ କଲା। ପ୍ରଥମେ ସେ ୧୫୦୦ ଟଙ୍କା ଲଗାଇଲା ଏବଂ ପରେ ୧୦ ହଜାର। ସମୟକ୍ରମେ ସେ ଏହି ଗେମ୍ରେ ପୂରା ଆଡିକ୍ଟ ହୋଇଗଲା। କାରଣ ଟଙ୍କା ପାଇଁ ଖେଳ ତା’ ପକ୍ଷେ ଅଧିକ ସହଜ ହେଉଥିଲା। ଟଙ୍କା ପାଇଁ ଖେଳରେ ତାକୁ ଭଲ ଅସ୍ତ୍ର ମିଳୁଥିଲା ଏବଂ ଦକ୍ଷତା ବି ବଢ଼ୁଥିଲା।
ଧୀରେଧୀରେ ସେ ଲକ୍ଷାଧିକ ଟଙ୍କା ଗେମ୍ରେ ଲଗାଇଲା। କିନ୍ତୁ ପରିବାରର କୌଣସି ସଦସ୍ୟ ଏହା ଜାଣିନଥିଲେ। ଫ୍ରି ଫାୟାର ଗେମ୍ରେ ସେ ୧.୪୫ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ପେମେଣ୍ଟ୍ କରିଛି। ପରେ ଯେତେବେଳେ ଉକ୍ତ ବାଳକଙ୍କ ମା’ ଟଙ୍କା ଉଠାଇବା ପାଇଁ ଏସ୍ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ) ଗଲେ ସେ ସମୟରେ ଜାଣିଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍ରେ କିଛି ଟଙ୍କା ନାହିଁ। ମହିଳାଙ୍କ ଏସ୍ବିଆଇ ଆକାଉଣ୍ଟ୍ରେ ୨୭ ଲକ୍ଷ ଥିଲା। ତାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟ୍ରେ ବି ୯ ଲକ୍ଷ ଥିଲା। ଏହାକୁ ବି ତାଙ୍କ ପୁଅ ଖାଲି କରିଦେଇଛି। ମହିଳା ଜଣଙ୍କ ଏହାପରେ ଉକ୍ତ ଘଟଣାରେ ସାଇବର କ୍ରାଇମ ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ସ୍ବାମୀ ଜଣେ ପୁଲିସ ଅଫିସର ଥିଲେ।