ବିହାରରେ ୩୬୨ ଡାକ୍ତର ନିଖୋଜ

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଏବେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କରୋନା ମହାମାରୀ ବିରୋଧରେ ଅସଲ ଯୋଦ୍ଧା ପାଲଟିଛନ୍ତି। କରୋନା ରୋଗୀଙ୍କ ପାଇଁ ଡାକ୍ତର ହେଉଛନ୍ତି ଭଗବାନ। କିନ୍ତୁ ବିହାରରେ ଡ୍ୟୁଟି ସମୟରେ ୩୬୨ ସରକାରୀ ଡାକ୍ତର ନିଖୋଜ ହୋଇଯିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିହାରରେ ମାର୍ଚ୍ଚ ୩୧ରୁ ଏପ୍ରିଲ ୧୨ ତାରିଖ ମଧ୍ୟରେ ପ୍ରାୟ ୩୬୨ ଜଣ ସରକାରୀ ଡାକ୍ତର ସେମାନଙ୍କ ଡ୍ୟୁଟି ସମୟରେ ନିଖୋଜ ହୋଇଯାଇଥିଲେ। ଏହି କାରଣ ପାଇଁ ବିହାର ସରକାର ଉକ୍ତ ୩୬୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସରକାରୀ ଅଧିକାରୀଙ୍କ ଦ୍ବାରା ୩୭ଟି ଜିଲ୍ଲାକୁ ଅଚାନକ ଗସ୍ତ କରାଯିବାବେଳେ ଡାକ୍ତରମାନେ ହସ୍ପିଟାଲ୍‌ରେ ଅନୁପସ୍ଥିତ ଥିଲେ। କେବଳ ପାଟ୍‌ନାରେ ୨୫ ଜଣ ଡାକ୍ତର ସେମାନଙ୍କ ଡ୍ୟୁଟି ସମୟରେ ହସ୍ପିଟାଲ୍‌ରେ ଅନୁପସ୍ଥିତ ଥିଲେ। ରାଜ୍ୟରେ ମୋଟ୍‌ ୩୬୨ ଜଣ ଡାକ୍ତର ସେମାନଙ୍କ ଡ୍ୟୁଟି ସମୟରେ ହସ୍ପିଟାଲ୍‌ରେ ରହିନଥିବା ଜଣାପଡ଼ିବାପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି ଏବଂ ଏହି ଡାକ୍ତରମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଡାକ୍ତରମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଏବଂ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ୧୮୯୭ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିହାର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର