ନୂଆଦିଲ୍ଲୀ : ଫାନ୍ସରୁ ମିଳିବାକୁ ଥିବା ୩୬ତମ ରାଫେଲ ଲଢୁଆ ବିମାନ ଆସନ୍ତା ଡିସେମ୍ବର ୧୫ ସୁଦ୍ଧା ପହଞ୍ଚିବ । ଏହା ସହିତ ଫ୍ରାନ୍ସ ସହିତ ହୋଇଥିବା ୩୬ ରାଫେଲ ବିମାନର ଯୋଗାଣ ସଂପୂର୍ଣ୍ଣ ହେବ ।
ଉଲ୍ଲେଖଯୋଗ୍ୟ ଭାରତ ୩୬ଟି ରାଫେଲ୍ ଯୁଦ୍ଧବିମାନ ପାଇଁ ଫ୍ରାନ୍ସ ସହ ୫୮ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୨୦ ଜୁଲାଇ ୨୯ରେ ଦେଶରେ ପ୍ରଥମ ବ୍ୟାଚ୍ ରାଫେଲ ଯୁଦ୍ଧ ବିମାନ ପହଞ୍ଚିଥିଲା। ଗତ ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଅନ୍ୟ ବିମାନଗୁଡ଼ିକର ଯୋଗାଣ ହୋଇଥିଲା ।
ଇତି ମଧ୍ୟରେ ଚୁକ୍ତି ମୁତାବକ ୩୫ଟି ଯୁଦ୍ଧ ବିମାନ ଭାରତରେ ପହଞ୍ଚିସାରିଛି । ସେଗୁଡ଼ିକୁ ହରିୟାଣା, ଅମ୍ବାଲା ଓ ପଶ୍ଚିମ ବଙ୍ଗର ହାସିମାରାରେ ମୁତୟନ କରାଯାଇଛି । ଏସବୁ ବିମାନଗୁଡ଼ିକରେ ଭାରତୀୟ ପରିସ୍ଥିତିର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ଯନ୍ତ୍ରାଂଶ ଓ ଅସ୍ତ୍ରଶସ୍ତ୍ର ଲାଗିଛି ।
ରାଫେଲ ଏକ ୪.୫ ଜେନେରେସନ ଲଢୁଆ ବିମାନ ହୋଇଥିବାବେଳେ ସେଥିରେ ଦୂରଗାମୀ କ୍ଷେପଣାସ୍ତ୍ର, ଅତ୍ୟାଧୁନିକ ତଥା ଦକ୍ଷ ରାଡାର ଓ ଇଲେକ୍ଟ୍ରୋନିକ ଓ୍ବେରଫେୟାର ସିଷ୍ଟମ ଲାଗିଛି । ଏଥିରେ ମେଟେର ମିସାଇଲ ଓ ସ୍କାଲପ ଏୟାର ଟୁ ଗ୍ରାଉଣ୍ଡ ମିସାଇଲ ଲାଗିଛି ।
ବାୟୁସେନାରେ ସାମିଲ ହେବାର ଅଳ୍ପ କିଛି ଦିନ ମଧ୍ୟରେ ରାଫେଲ ବିମାନକୁ ଲଦାଖରେ ଉଡୁଥିବା ଦେଖାଯାଇଥିଲା । ଚୀନସହ ବିବାଦ ମଧ୍ୟରେ ଏସବୁ ବିମାନ ଗୁଡ଼ିକୁ ଉଡ଼ାଯାଉଥିଲା ।