ନୂଆଦିଲ୍ଲୀ: ଭାରତୀୟ ପାରମ୍ପାରିକ ଔଷଧର ଲାଭ ଅଧିକରୁ ଅଧିକ ଲୋକଙ୍କୁ ଯୋଗାଇବା ପାଇଁ ମେ ୧ରୁ ସାରା ଦେଶରେ ମୋଟ ୩୭ ଟି କ୍ୟାଣ୍ଟନମେଣ୍ଟ ଡାକ୍ତରଖାନାରେ ଆୟୁର୍ବେଦ କ୍ଲିନିକ୍ ଆରମ୍ଭ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଘୋଷଣା କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି, ଏହି ପଦକ୍ଷେପ ସଶସ୍ତ୍ର ବାହିନୀ କର୍ମଚାରୀ, ସେମାନଙ୍କ ପରିବାର ଏବଂ ଏହି ଡାକ୍ତରଖାନାରୁ ସ୍ୱାସ୍ଥ୍ୟ ସେବା ଲାଭ କରୁଥିବା ସାଧାରଣ ନାଗରିକଙ୍କ ସମେତ କ୍ୟାଣ୍ଟନମେଣ୍ଟର ବାସିନ୍ଦାଙ୍କୁ ଆୟୁର୍ବେଦର ସୁପ୍ରତିଷ୍ଠିତ ଏବଂ ସମୟ ପରୀକ୍ଷିତ ଚିକିତ୍ସା ଉପଲବ୍ଧ କରାଯିବ।
ଆୟୁର୍ବେଦ କ୍ଲିନିକ୍ ଆରମ୍ଭ କରିବାକୁ ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ସଚିବ ଅଜୟ କୁମାର ଏବଂ ଆୟୁଷ ମନ୍ତ୍ରାଳୟର ସଚିବ ବୈଦ୍ୟ ରାକେଶ କୋଟେକାଙ୍କ ମଧ୍ୟରେ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି ବୋଲି ଏଥିରେ କୁହାଯାଇଛି। ଏହି ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆୟୁଷ ମନ୍ତ୍ରାଳୟ ୩୭ଟି କ୍ୟାଣ୍ଟନମେଣ୍ଟ ଡାକ୍ତରଖାନାକୁ କୁଶଳୀ ଆୟୁଷ ଡାକ୍ତର ଏବଂ ଫାର୍ମାସିଷ୍ଟ ଯୋଗାଇ ଦେବ ବୋଲି ଏଥିରେ କୁହାଯାଇଛି।
ଏଥିରେ ଦର୍ଶାଯାଇଛି, ପ୍ରତିରକ୍ଷା ଇଷ୍ଟେଟ୍ ମହାନିର୍ଦ୍ଦେଶାଳୟ, ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟର ଅଧିକାରୀମାନେ ଏହି ୩୭ଟି ଆୟୁର୍ବେଦ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ପାରସ୍ପରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ।
ଦେଶର ଏହି ୩୭ଟି କ୍ୟାଣ୍ଟନମେଣ୍ଟ ଡାକ୍ତରଖାନା ଆଗ୍ରା, ଆହ୍ଲାବାଦ, ବରେଲି, ଡେରାଡୁନ, ମହୁ, ପଚମାରୀ, ଶାହଜାହାନପୁର, ଜବଲପୁର, ବାଦମି ବାଗ ଏବଂ ବାରାକପୋର ଭଳି ସହରରେ ଅବସ୍ଥିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/A8-5.jpg)