ଶ୍ରୀନଗର: ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ବୁଧବାର ଏକ ବସ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବୁଧବାର ସକାଳେ ଡୋଡା ଜିଲ୍ଲାର ଆସାର ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡୋଡ଼ା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୪ ଜଣଙ୍କୁ ଜମ୍ମୁ ଏୟାରଲିଫ୍ଟ କରାଯାଇଛି। ଜେକେ୦୨ସିଏନ-୬୫୫୫ ନମ୍ବର ବିଶିଷ୍ଟ ବସ୍ଟି ପ୍ରାୟ ୫୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବାଟୋଟ୍-କିସ୍ତୱାର ଜାତୀୟ ରାଜପଥର ତ୍ରୁଙ୍ଗଲ-ଆସାର ନିକଟରେ ଏହା ୩୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ମୃତଦେହ ଉଦ୍ଧାର କରାଯାଇଛି।
ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଭାବିତ ବ୍ୟକ୍ତିଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଡୋଡା ଜିଲ୍ଲାରେ ଏହା ଦ୍ୱିତୀୟ ସଡ଼କ ଦୁର୍ଘଟଣା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଏଥି ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।