ନୂଆଦିଲ୍ଲୀ:ଏକନାଥ ସିନ୍ଦେ ଆମ ଗୋଷ୍ଠୀର ନେତା ବୋଲି ଜଣାଇ ଗୌହାଟୀରେ ଡେରା ପକାଇଥିବା ଶିବସେନାର ୩୭ ବିଦ୍ରୋହୀ ବିଧାୟକ ଗୁରୁବାର ଦିନ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିର୍ୱାଲ୍ଙ୍କୁ ପତ୍ର ଲେଖିଛନ୍ତି।
ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନରେ ଉପବାଚସ୍ପତି ଶିବସେନା ବିଧାୟକ ଦଳର ନେତା ଭାବେ ଅଜୟ ଚୌଧରୀଙ୍କ ନାମ ଅନୁମୋଦନ କରିବା ପରେ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଉପରୋକ୍ତ ପତ୍ର ଲେଖିଛନ୍ତି। ଜିର୍ୱାଲ୍ଙ୍କୁ ଲିଖିତ ଉକ୍ତ ପତ୍ରରେ ୩୭ଜଣ ବିଦ୍ରୋହୀ ବିଧାୟକଙ୍କ ସ୍ବାକ୍ଷର ରହିଛି। ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସୁନୀଲ ପ୍ରଭୁଙ୍କ ସ୍ଥାନରେ ସେନା ବିଧାୟକ ଭରତ ଗୋଗାୱାଲେଙ୍କୁ ବିଧାୟକ ଦଳର ‘ଚିଫ୍ ହ୍ବିପ୍’ ଭାବେ ନିଯୁକ୍ତି ମିଳିଛି।
/sambad/media/post_attachments/wp-content/uploads/2022/06/eknath.jpg)
ଅନ୍ୟ ପକ୍ଷରେ, ବୁଧବାର ଦିନ ଆୟୋଜିତ ଦଳୀୟ ବୈଠକରେ ଯୋଗ ନ ଦେଇ ଥିବା କାରଣରୁ ସିନ୍ଦେଙ୍କ ସମେତ ୧୨ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଶିବସେନା ମଧ୍ୟ ଉପବାଚସ୍ପତିଙ୍କୁ ନିବେଦନ କରିଛି।
ଏହାର ପ୍ରତ୍ୟୁତ୍ତର ଦେଇ ଏକନାଥ ସିନ୍ଦେ ଟୁଇଟ୍ କରିଛନ୍ତି: ଆମକୁ ଡରାଇବା ପାଇଁ ଆପଣ କିଏ? ଆମେ ଆପଣଙ୍କ ମନୋବୃତ୍ତି ଏବଂ ଆଇନ ବି ଜାଣିଛୁ। ସମ୍ବିଧାନର ୧୦ମ ସ୍କିଡ୍ୟୁଲ୍ ଅନୁସାରେ, ହୁଇପ୍ ବିଧାନସଭା କାର୍ଯ୍ୟକ୍ରମ ନିମନ୍ତେ, ବୈଠକ ପାଇଁ ନୁହେଁ। ଏ ବିଷୟରେ ସୁପ୍ରିମ୍ କୋର୍ଟ ଦେଇଥିବା ଅସଂଖ୍ୟ ରାୟ ଅଛି।
ବିଶେଷସୂତ୍ରରୁ ମିଳିଥିବା ସଦ୍ୟତମ ସୂଚନା ଅନୁସାରେ, ଶିବସେନାର ଆଉ ୩ଜଣ ବିଧାୟକ ମଧ୍ୟ ଗୌହାଟୀରେ ପଡ଼ିଥିବା ସିନ୍ଦେଙ୍କ ଶିବିରରେ ଯୋଗ ଦେବେ। ସେମାନେ ଗୁଜରାଟର ସୁରତରେ ଥିବା କଥା ଶୁଣାଯାଉଥିଲା। ସେଠାରୁ ସେମାନେ ବିମାନ ଯୋଗେ ଆସାମ ଯିବେ।