ୟୁପି, ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୩୮ ମୃତ

ଲକ୍ଷ୍ନୌ, ଡେରାଡ଼ୁନ୍‌: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ଆଜି ବିଷ‌ାକ୍ତ ମଦ ପିଇ ୩୮ ଜଣଙ୍କ ମୃ୍ତ୍ୟୁ ଘଟିଛି। ଉତ୍ତରପ୍ରଦେଶର କୁଶିନଗର ଏବଂ ଶାହରନପୁରରେ ବିଷାକ୍ତ ମଦ ପିଇ ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ବୀକାର କରିଛନ୍ତି। କୁଶିନଗରରରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶାହରନପୁରରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ୧୪ ଜଣ ମଧ୍ୟ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡର ରୁର୍‌କିରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫୦, ୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷାକ୍ତ ମଦମୃତ୍ୟୁ ମାମଲାରେ ଆଜି ୟୁପିରେ ଅବକାରୀ ବିଭାଗର ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଉତ୍ତରାଖଣ୍ଡ ସରକାର ମଧ୍ୟ ୧୩ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର