ଆରବ ସାଗରରେ ପଣ୍ୟବାହୀ ପୋତ ‘ପି-୩୦୫’ ବୁଡ଼ିବାର ୪ ଦିନ ସୁଦ୍ଧା ୧୮୬ ଉଦ୍ଧାର, ତଥାପି ୩୮ ନିଖୋଜ

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ‘ତୌତେ’ ପ୍ରବାହ କାରଣରୁ ମୁମ୍ବାଇ ଠାରୁ ଆରବସାଗରର ପ୍ରାୟ ୬୫ କିଲୋମିଟର ଦୂର ଜଳରାଶିରେ ପଣ୍ୟବାହୀ ପୋତ ‘ପି-୩୦୫’ ଡୁବିଯିବାର ଚାରି ଦିନ ବିତିଯାଇଥିଲେ ବି ‘ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌’ର (ଓଏନ୍‌ଜିସି) ଆହୁରି ୩୮ଜଣ କର୍ମଚାରୀଙ୍କର ସନ୍ଧାନ ମିଳିନାହିଁ।

ଏପର୍ଯ୍ୟନ୍ତ ପଣ୍ୟବାହୀ ପୋତ ‘ପି-୩୦୫’ରୁ ୧୮୬ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୩୭ଜଣଙ୍କ ଶବ ଉଦ୍ଧାର କରାଯାଇଛି। କେତେଗୁଡ଼ିଏ ଜାହାଜ, ‘ପି-୮୧ ବିମାନ, ‘ସି କିଙ୍ଗ୍‌’ ହେଲିକପ୍ଟର୍‌, ତଟରକ୍ଷୀ ଏବଂ ‘ଓଏନ୍‌ଜିସି’ ପୋତ ମୁତୟନ କରି ଭାରତୀୟ ନୌସେନା ସେଠାରେ ଅହର୍ନିଶ ତଲାସ ଜାରି ରଖିଛି। ଉଦ୍ଧାରକାରୀମାନେ ବୁଡ଼ିଯାଇଥିବା ପଣ୍ୟବାହୀ ପୋତ ‘ପି-୩୦୫’ ଏବଂ ବାତ୍ୟାଦ୍ବାରା ପ୍ରଭାବିତ ଅନ୍ୟାନ୍ୟ ପୋତରେ ଲୋକମାନଙ୍କର ଅନୁସନ୍ଧାନ ଚଳାଇଛନ୍ତି।

Image Courtesy of NDTV

ସାମୁଦ୍ରିକ ବାତ୍ୟା ‘ତୌତେ’ ବିଷୟରେ ସତର୍କ ସୂଚନା ପାଇବା ସତ୍ତ୍ବେ କାହିଁକି ‘ପି-୩୦୫’ ସେ ଅଞ୍ଚଳରେ ରହିଥିଲା, ତାହା ତଦନ୍ତ କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ‘ପି-୩୦୫’ରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କର ଶବ ଦେଖିବା ପରେ ବୁଧବାର ଦିନ ଦକ୍ଷିଣ ମୁମ୍ବାଇର ‘ୟେଲୋ ଗେଟ୍‌ ପୁଲିସ’ ଆକସ୍ମିକ ମୃତ୍ୟୁ ରିପୋର୍ଟ ପଞ୍ଜିକରଣ କରିଛି।

ଆଜି ସକାଳୁ ମଧ୍ୟ ତଲାସକାରୀମାନେ ‘ପି-୩୦%’ ବୁଡ଼ିଥିବା ସମୁଦ୍ର ଜଳରାଶିରେ ବ୍ୟାପକ ଖୋଜାଖୋଜି କରୁଥିବା ବେଳେ ସମୁଦ୍ର ଉପରେ ବିମାନ ସବୁ ପଇନ୍ତରା ମାରି ନିଖୋଜ କର୍ମଚାରୀମାନଙ୍କୁ ଠାବ କରିବା ଲାଗି ସଦ୍ୟ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର