୩ ଲକ୍ଷ ୮୦ ହଜାର ନୂଆ ସଂକ୍ରମଣ, ୨୪ ଘଣ୍ଟାରେ ୩୬୦୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ ରେକର୍ଡ ୩ ଲକ୍ଷ ୮୦ ହଜାର ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ‌ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହିଛି। ମୋଟ୍‌ ସଂକ୍ରମଣ ମାମଲା ୧,୮୩,୭୬,୫୨୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୯,୨୫୭ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩,୬୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୨.୦୪ ଲକ୍ଷରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ଆଜି ୩୦ ଲକ୍ଷ ଟପିଯାଇଛି। ମୋଟ୍‌ ସକ୍ରିୟ ମାମଲା ୩୦,୮୪, ୮୧୪ରେ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୬.୭୯ ପ୍ରତିଶତ ।

ଅନ୍ୟପକ୍ଷରେ ଆରୋଗ୍ୟ ହାର ୮୨.୧୦ ପ୍ରତିଶତ ରହିଥିବା ବେଳେ ମୃତ୍ୟୁହାର ୧.୧୧ ପ୍ରତିଶତ ରହିଛି। ୧୦ ରାଜ୍ୟରୁ ୭୨.୨ ପ୍ରତିଶତ ନୂଆ ସକ୍ରିୟ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ଦିଲ୍ଳୀ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ରାଜସ୍ଥାନ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ର‌ଦେଶରେ ଦୈନିକ ସଂକ୍ରମଣ ମାମଲା ଲଗାତାର ଭାବେ ଅଧିକ ରହୁଛି। ମହାରାଷ୍ଟ୍ର ସହ କର୍ଣ୍ଣାଟକ ଏବଂ କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି। କର୍ଣ୍ଣାଟକରେ ବିଗତ ୨୪ ଘଣ୍ଟାରେ ୩୯,୦୪୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୩୫,୦୧୩ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀରେ ୨୯,୭୫୧ ନୂ୍ଆ ମାମଲା ଆସିଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୬୭୫,୪୫୧ ଥିବାବେଳେ କର୍ଣ୍ଣାଟକରେ ୩୨୮,୯୦୩, ଉତ୍ତରପ୍ରଦେଶରେ ୩୦୦,୦୪୧ , କେରଳରେ ୨୬୬, ୯୮୧, ରାଜସ୍ଥାନରେ ୧୬୩,୩୭୨ ସକ୍ରିୟ ମାମଲା ରହିଛି। ସେହିପରି ୧୦ ରାଜ୍ୟରୁ ୭୮ ପ୍ରତିଶତ ନୂଆ କରୋନା ମୃତ୍ୟୁ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୧,୦୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୬୮ ଏବଂ ଛତିଶଗଡ଼ରେ ୨୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର