‘କୋଭିଡ୍‌-୧୯ରେ ପ୍ରାଣ ହରାଇଛନ୍ତି ୩୮୨ ଡାକ୍ତର’: ସଂସଦରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଉଲ୍ଲେଖ ନକରିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲା ଆଇଏମଏ

ନୂଆଦିଲ୍ଲୀ: ସଂସଦରେ କରୋନାଭାଇରସ୍‌ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଦେଇଥିବା ବିବୃତ୍ତି ଉପରେ ଭାରତୀୟ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଦୃଢ଼ ଆପତ୍ତି ଉଠାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ସଂସଦରେ ଦେଇଥିବା ବିବୃତ୍ତିରେ କୋଭିଡ୍‌-୧୯ ହେତୁ ପ୍ରାଣ ହରାଇଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିଷୟରେ କିଛି ହେଲେ ଉଲ୍ଲେଖ ନ କରିବା ଘଟଣାର ଘୋର ବିରୋଧ କରିଛି ଆଇଏମ୍‌ଏ। ଏବଂ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଇଏମଏ ପକ୍ଷରୁ କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଥିବା ୩୮୨ ଡାକ୍ତରଙ୍କ ତାଲିକା ପ୍ରକାଶ କରାଯାଇଛି। ଏବଂ ସେମାନଙ୍କୁ ‘ସହିଦ’ ଭାବରେ ଘୋଷଣା କରିବାକୁ ଦାବି କରିଛି ଆଇଏମ୍‌ଏ।

ଆଇଏମଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ) ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ତଥ୍ୟ ଅନୁଯାୟୀ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା କାଳରେ ୨,୨୩୮ ଜଣ ଡାକ୍ତର ଏହି ରୋଗରେ ସଂକ୍ରମିତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୮୨ ଜଣ ପ୍ରାଣ ହରାଇଥିଲେ। ଏହା ସତ୍ତ୍ୱେ ସଂସଦରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଦେଇଥିବା ବିବୃତିରେ ଏ ସଂପର୍କରେ କୌଣସି ଉଲ୍ଲେଖ ନରହିବା ପରିତାପର ବିଷୟ।
ଏହି ପରିପ୍ରେକ୍ଷୀରେ କୋଭିଡ୍‌-୧୯ରେ ମୃତ୍ୟୁବରଣ କରିଥିବା ୩୮୨ ଡାକ୍ତରଙ୍କ ତାଲିକା ପ୍ରକାଶ କରିବା ସହ ସେମାନଙ୍କୁ ‘ସହିଦ’ ଭାବରେ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଦାବି କରିଛି ଆଇଏମ୍‌ଏ।

ସମ୍ବନ୍ଧିତ ଖବର