ନୂଆଦିଲ୍ଲୀ : ବର୍ଷା ଓ ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ଅବସ୍ଥାକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଳଜନିତ ସମସ୍ୟାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ଦେଶରେ ଜଳାଶୟଗୁଡ଼ିକୁ ଜବରଦଖଲ କରାଯିବା। ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ଅନୁସାରେ ସହରୀକରଣ ହେଉଛି ସେହି ଅନୁସାରେ ଡ୍ରେନେଜ୍ର କ୍ଷମତା ବୃଦ୍ଧି ହେଉନାହିଁ, ବରଂ ହ୍ରାସ ପାଉଛି। ସଂସଦୀୟ କମିଟି ପକ୍ଷରୁ ମଧ୍ୟ ନଦୀ ଗୁଡ଼ିକର ତଟ ଓ ଜଳାଶୟ ଗୁଡ଼ିକର ଲଗାତାର ହେଉଥିବା ଜବରଦଖଲକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି।
ସବୁଠାରୁ ଗୁରତ୍ବପୁର୍ଣ୍ଣ କଥା ହେଉଛି ଚଳିତବର୍ଷ ଆରମ୍ଭରେ କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ଜଳାଶୟଗୁଡ଼ିକର ଗଣନାକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏଥିରେ ଦେଶରେ ୩୮,୪୯୬ ଜଳାଶୟ ଜବରଦଖଲର ଶିକାର ହୋଇଥିବା ଦର୍ଶାଯାଇଥିଲା। ଉତ୍ତର ପ୍ରଦେଶରେ ସର୍ବାଧିକ ୧୫,୩୦୧ ଜଳାଶୟ ଜବରଦଖଲ ହୋଇଥିବାବେଳେ ଓଡ଼ିଶାରେ ୧୦୪୮ ଜଳାଶୟ ଜବରଦଖଲ ହୋଇଥିବା ଦର୍ଶାଯାଇଥିଲା। ବିଶେଷଜ୍ଞଙ୍କ ମତ ହେଉଛି ଜବରଦଖଲର ଏହି ସଂଖ୍ୟା ବାସ୍ତବ ଚିତ୍ର ନୁହେଁ, ଏହା କେବଳ ଏକ ଝଲକ ମାତ୍ର।
ଦେଶରେ ଜଳାଶୟଗୁଡ଼ିକର ଜବରଦଖଲ ଓ ଅବରୋଧ ସଂଖ୍ୟା ଅଧିକ ହୋଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଯେଉଁ ଜଳାଶୟଗୁଡ଼ିକୁ ବନ୍ୟା ନିୟନ୍ତ୍ରଣ ଦିଗରେ ଗୁରତ୍ବପୁର୍ଣ୍ଣ ମନେ କରାଯାଉଥିଲା ସେଗୁଡ଼ିକ ଜବରଦଖଲର ଶିକାର ହୋଇ ଅସ୍ତିତ୍ବ ହରାଇ ବସିଲେଣି। ଏହା ଅତ୍ୟନ୍ତ ଉଦ୍ବେଗଜନକ। ଜଳାଶୟଗୁଡ଼ିକୁ ଜବରଦଖଲମୁକ୍ତ କରିବା ସହିତ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କୁ ପ୍ରାଥମିକତା ଦେବା ଲାଗି ବିଶେଷଜ୍ଞମାନେ ମତ ଦେଇଛନ୍ତି।