୩୯% କିଶୋରୀ ସ୍କୁଲ ଶିକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ: ଦେଶରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ କନ୍ୟା ସନ୍ତାନଙ୍କ ସଶକ୍ତୀକରଣ ପାଇଁ ଦେଶରେ କୋଟି କୋଟି ଟଙ୍କା ବ୍ୟୟରେ ସଂଖ୍ୟାଧିକ ଯୋଜନା କାର୍ଯ୍ୟକାରୀ ହେଉଛ। ତଥାପି ଦେଶର ୩୯ ପ୍ରତିଶତ ରୁ ଅଧିକ କିଶୋରୀ (୧୫ରୁ ୧୮ବର୍ଷ ମଧ୍ୟରେ) ସ୍କୁଲ ଶିକ୍ଷା ପାଇବାରୁ ବଞ୍ଚିତ ହେବା ଘଟଣା ସେସବୁ ଯୋଜନାର ସଫଳତାରେ ପ୍ରଶ୍ନବାଚୀ ଲଗାଇଛି। ଦେଶର ମୋଟ ୩୯.୪% କିଶୋରୀ ଏବଂ ୩୫% କିଶୋର ଏପରି ବିଦ୍ୟାଳୟ ଶିକ୍ଷା ପାଇବାରୁ ବଞ୍ଚିତ ବୋଲି ନ୍ୟାସନାଲ୍‌ କମିଶନ ଫର ପ୍ରୋଟେକ୍ସନ ଅଫ୍‌ ଚାଇଲ୍‌ଡ ରାଇଟ୍‌ (ଏନ୍‌ପିସିଆର୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ମିଳିଛି।
ସୂଚନାନୁଯାୟୀ, ‘୧୫ରୁ ୧୮ ବର୍ଷ ମଧ୍ୟରେ ସ୍କୁଲ ଛାଡ଼ିଥିବା କିଶୋରୀଙ୍କ ବୃତ୍ତିଗତ ଓ ଜୀବନ କୌଶଳ ପ୍ରଶିକ୍ଷଣ-୨୦୧୮’ ଶୀର୍ଷକ ଏହି ରିପୋର୍ଟରେ ଦେଶର କିଶୋରୀଙ୍କ ମୌଳିକ ଓ ବୃତ୍ତିଗତ ଶିକ୍ଷା ସମସ୍ୟା ସମ୍ପର୍କରେ ବିଶଦ ତଥ୍ୟ ପ୍ରଦାନ କରାଯାଇଛି। ‘କିଶୋରୀମାନଙ୍କ ସଶକ୍ତୀକରଣ ନିମନ୍ତେ ରାଜୀବ ଗାନ୍ଧୀ ଯୋଜନା (ସବଳା)’ ଯୋଜନା ବ୍ୟତୀତ ସ୍କୁଲ ଛାଡ଼ିଥିବା କିଶୋରୀମାନଙ୍କ ବୃତ୍ତିଗତ ଓ କୌଶଳ ବିକାଶ ନିମନ୍ତେ ଅନ୍ୟ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ। କୌଶଳ ବିକାଶ ପାଇଁ ୨୦୧୫-୧୬ରେ ମୋଟ ବଜେଟ୍‌ ୧୪ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୬-୧୭ରେ ୧୭ହଜାର କୋଟି ଟଙ୍କାରେ ପହଞ୍ଚିଥିଲେ ମଧ୍ୟ ଯୋଜନା ସ୍କୁଲ ଛାଡ଼ୁଥିବା କିଶୋରୀ ଓ କିଶୋରଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚିପାରୁନଥିବା ଏହି ରିପୋର୍ଟରେ କୁହାଯାଇଛି।

ସେହିପରି ୧୫ରୁ ୧୮ ବର୍ଷ ମଧ୍ୟରେ ସ୍କୁଲ ଛାଡ଼ିଥିବା ବାଳିକାଙ୍କ ମଧ୍ୟରେ ୬୪.୮ ପ୍ରତିଶତ ଅଣଶ୍ରମିକ ଅର୍ଥାତ୍‌ କୌଣସି କାର୍ଯ୍ୟରେ ନିୟୋଜିତ ହୋଇନାହାନ୍ତି। ସେମାନଙ୍କ ମଧ୍ୟରେ ଭିକାରୀ, ଘରୋଇ କାମରେ ନିୟୋଜିତ ନାବାଳିକା ରହିଛନ୍ତି। ସେହିଭଳି କିଶୋରମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୩୩.୪ ପ୍ରତିଶତ ରହିଛି। ଅପରପକ୍ଷେ, ସ୍କୁଲ ଶିକ୍ଷାରୁ ଏପରି ବଂଚିତ ହେଉଥିବା ସଂଖ୍ୟାଧିକ କିଶୋରକିଶୋରୀଙ୍କ ଯୋଗୁଁ ପ୍ରତିବର୍ଷ ଭାରତର ଜିଡିପିର ୦.୩୦ ପ୍ରତିଶତ ଅର୍ଥାତ୍‌ ୬୭୯ କୋଟି ଡଲାର କ୍ଷତି ହେଉଛି ବୋଲି ନିକଟରେ ପ୍ରକାଶିତ ଅନ୍ୟ ଏକ ଅନ୍ତର୍ଜାତୀୟ ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର