ଜେରୁଜେଲମ୍: ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ପ୍ରଥମ ଛେକ ବା ‘ବ୍ୟାଚ୍’ର ପଣବନ୍ଦୀଙ୍କୁ ମୁକ୍ତ କରିବାରୁ ଶୁକ୍ରବାର ଦିନ ଇସ୍ରାଏଲ୍ ତା’ର ଜେଲ୍ଗୁଡ଼ିକରେ ବନ୍ଦୀ ହୋଇ ରହିଥିବା ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କ ସମେତ ୩୯ଜଣଙ୍କୁ ମୁକ୍ତ କରିଛି।
ସମଗ୍ର ୱେଷ୍ଟ୍ବ୍ୟାଙ୍କ୍ରେ ହର୍ଷୋତ୍ଫୁଲ୍ଲିତ ଥିବା ଏବଂ କେତେକ ପାଲେଷ୍ଟିନୀୟ ପତାକା ଧରି ରାସ୍ତାଘାଟରେ ବୁଲୁଥିବା ଜନତା ଜେଲ୍ରୁ ମୁକ୍ତ ହୋଇଥିବା ୩୯ଜଣ ବନ୍ଦୀଙ୍କୁ ସ୍ବାଗତ କରିଥିଲେ।
ସମବେତ ଜନତାଙ୍କ ମଧ୍ୟରୁ କେତେ ଜଣ ମଧ୍ୟ ହମାସ୍ ଆତଙ୍କବାଦୀ ସଙ୍ଗଠନର ପତାକା ଧରିଥିଲେ ଏବଂ ହମାସ୍ର ମୁଖପାତ୍ର ଆବୁ ଉବୈଦାଙ୍କ ନାଁ ଉଚ୍ଚାରଣ କରୁଥିଲେ।
୮ ବର୍ଷ ପରେ ଜେଲ୍ରୁ ମୁକୁଳି ଜେରୁଜେଲମ୍ ଅଧିକୃତ ବିଟ୍ ହାନିନାସ୍ଥିତ ବାସଭବନକୁ ଫେରିଥିବା ୨୪ ବର୍ଷୀୟ ଯୁବତୀ ମାରାହ୍ ବକିର୍ ‘ନିଉଜ୍ ଏଜେନ୍ସି ଏ.ଏଫ୍.ପି.’କୁ କହିଛନ୍ତି, ଜେଲ୍ର ଚାରିକାନ୍ଥରୁ ମୁକ୍ତ ହେବା ବଡ଼ ଚମତ୍କାର ଘଟଣା। ବାପାମାଆଙ୍କଠାରୁ ଏବଂ ତାଙ୍କ କୋଳରୁ ଅନେକ ଦୂରରେ ଜେଲ୍ରେ ମୁଁ ମୋର ବାଳୁତାବସ୍ଥା ଓ କୈଶୋରାବସ୍ଥା ଅତିବାହିତ କରିଛି।
ଗାଜାରେ ଯୁଦ୍ଧବିରତି ନିମନ୍ତେ କତର୍ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିନାମା ଅନୁସାରେ ସମୁଦାୟ ୩୯ଜଣ ପାଲେଷ୍ଟିନୀୟ ମହିଳା ଓ ନାବାଳକ/ନାବାଳିକାଙ୍କୁ ମୁକ୍ତ କରାଯାଇଛି। ଏମାନେ ବିଭିନ୍ନ ଅଭିଯୋଗରେ ଅଟକ ଥିଲେ।
ସେପଟେ, ଚୁକ୍ତିନାମା ଅନୁସାରେ ହମାସ୍ ସଙ୍ଗଠନ ଶୁକ୍ରବାର ଦିନ ୧୩ଜଣ ଇସ୍ରାଏଲୀୟ, ୧୦ଜଣ ଥାଇଲାଣ୍ଡ୍ବାସୀ ଓ ଜଣେ ଫିଲିପ୍ପିନ୍ସ୍ବାସୀଙ୍କ ସମେତ ୨୪ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି। ୧୩ଜଣ ଇସ୍ରାଏଲୀୟ ପଣବନ୍ଦୀଙ୍କୁ ମୁକ୍ତ କରାଯାଇ ପ୍ରଥମେ ରେଡ୍କ୍ରସ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନଙ୍କୁ ରାଫା କ୍ରସିଙ୍ଗ୍ ବାଟେ ଇଜିପ୍ଟ ନିଆଯାଇ ଇସ୍ରାଏଲୀୟ ସେନାକୁ ହସ୍ତାନ୍ତର କରାଯାଇଥିଲା।
ଆଗାମୀ ୪ ଦିନରେ ୧୦୦ରୁ ଅଧିକ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରାଯିବ। ଯଦି ଚୁକ୍ତି ସମୟସୀମା ବୃଦ୍ଧି କରାଯାଏ, ତେବେ ଆହୁରି ଅଧିକ ବନ୍ଦୀ ମୁକ୍ତ ହେବେ।