ମୁମ୍ବାଇ : ମୁମ୍ବାଇରେ ଆରମ୍ଭ ହୋଇଛି ବିପକ୍ଷ ଇଣ୍ଡିଆ ମେଣ୍ଟର ୩ୟ ବୈଠକ । ବୈଠକରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ଅରବିନ୍ଦ କେଜ୍ରିଓ୍ବାଲ, ମମତା ବାନାର୍ଜୀ, ଶରଦ ପାଓ୍ବାର, ଉଦ୍ଧବ ଠାକରେ, ଉମର ଅବଦୁଲ୍ଲା, ସୀତାରାମ ୟେଚୁରୀ ପରି ବିରୋଧି ଦଳ ନେତାମାନେ ଯୋଗ ଦେଇଛନ୍ତି । ଏହି ବୈଠକରେ ମୋଟ ୨୮ଟି ଦଳ ଯୋଗ ଦେଇଛନ୍ତି । ଗତ ବୈଠକରେ ୨୬ଟି ଦଳ ଯୋଗ ଦେଇଥିବାବେଳେ ଏଥର ଆଉ ୨ଟି ଦଳ ଇଣ୍ଡିଆ ମେଣ୍ଟରେ ଯୋଗ ଦେଇଛନ୍ତି । ଆଜିର ବୈଠକ ଅବସରରେ ମେଣ୍ଟ ପକ୍ଷରୁ ଏକ ସାଧାରଣ ଲୋଗୋ, ଏକ ସମନ୍ବୟ କମିଟି ଗଠନ କରିବାର ସମ୍ଭାବନା ରହିଛି । ଏହା ସହିତ ଆସନ ଭାଗବଣ୍ଟା ଉପରେ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ବୈଠକ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ମୋଦୀ ଚୁପ କାହିଁକି ଅଛନ୍ତି । କେନ୍ଦ୍ର ସରକାର ଏହାର ଏକ ତଦନ୍ତ କରିବା ଉଚିତ୍ ।
ଏଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦେଶର ଯୁବକମାନେ ଚାକିରି ଚାହୁଁଛନ୍ତି, ଲୋକମାନେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। କିନ୍ତୁ ମୋଦି ସରକାର କେବଳ ଜଣେ ବ୍ୟକ୍ତିଙ୍କ ପାଇଁ କାମ କରୁଛନ୍ତି । ଭାରତର ଏହି ମେଣ୍ଟ ଦେଶର ୧୪୦ କୋଟି ଲୋକଙ୍କ ପାଇଁ, ଯାହା ଦେଶକୁ ବିକାଶ ଦିଗରେ ଆଗେଇ ନେବ ।