କରୋନା ଟିକା ପରୀକ୍ଷଣରେ ଉଲ୍ଲେଖନୀୟ ଅଗ୍ରଗତି, ଆଜିଠାରୁ ଆରମ୍ଭ ହେବ ଗୋଟିଏ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ : ଦେଶରେ ଏବେ ୩ଟି କରୋନା ଟିକା ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ରହିଛି । ଏହି ୩ଟି ଟିକା ମଧ୍ୟରୁ ଗୋଟିକର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆଜି କିମ୍ବା ଆସନ୍ତା କାଲି କରାଯିବ । ଅନ୍ୟ ଦୁଇଟି ୧ମ ଓ ୨ୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ରହିଛି ବୋଲି ନିତି ଆୟୋଗର ସଦସ୍ୟ ଡଃ ଭି.କେ. ପଲ କହିଛନ୍ତି । କରୋନା ସଂପର୍କରେ କେନ୍ଦ୍ର ସରକାରଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ ଏକଥା କହିଛନ୍ତି । ମାତ୍ର କେଉଁ ଟିକା ୩ୟ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଛି ସେ ସମ୍ପର୍କରେ ସେ କିଛି କହିନଥିଲେ ।

ଡଃ ପଲ କହିଛନ୍ତି ଯେ ସରକାର ଏହି ତିନୋଟି ଟିକାର ପରୀକ୍ଷଣ ଉପରେ ନଜର ରଖିଛନ୍ତି ଓ ପରୀକ୍ଷଣ କରୁଥିବା କମ୍ପାନିମାନଙ୍କୁ ସବୁପ୍ରକାରର ସହାୟତା ଯୋଗାଇଦେଉଛନ୍ତି । ଅନ୍ୟପକ୍ଷରେ ଟିକା ବାହାରିବା ପରେ ତାହାକୁ କିପରି ଅଧିକ ସଂଖ୍ୟାରେ ଉତ୍ପାଦନ କରାଯିବ ଓ କିପରି ସବୁ ଲୋକଙ୍କ ୁ ସୁଲଭ ମୂଲ୍ୟରେ ଯୋଗାଇଦିଆଯିବ ସେ ସଂପର୍କରେ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିଜ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୩ଟି ଟିକାର ପରୀକ୍ଷଣ ଚାଲିଥିବା ବିଷୟରେ କହିଥିଲେ । ସେ କହିଥିଲେ ଯେ ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଏଗୁଡ଼ିକର ଉତ୍ପାଦନ ପାଇଁ ଅନୁମତି ଦେଲେ ବିପୁଳ ସଂଖ୍ୟକ ଟିକାର ଉତ୍ପାଦନ କରି ସବୁ ଭାରତୀୟଙ୍କୁ ଯୋଗାଇବାକୁ ଭାରତ ପ୍ରସ୍ତୁତ ।

ସମ୍ବନ୍ଧିତ ଖବର