ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାଭାଇରସ୍ ସଂକ୍ରମଣର ଏକ ସମ୍ଭାବ୍ୟ ତୃତୀୟ ଲହର ଶିଖରକୁ ଛୁଇଁପାରେ | ଯଦି କୋଭିଡ୍-ଉପଯୁକ୍ତ ଆଚରଣ ଅନୁସରଣ ନହୁଏ, ତେବେ ଏଭଳି ସ୍ଥିତି ଆସିବାର ସମ୍ଭାବନା ରହିଛି ବୋଲି କହିଛନ୍ତି କୋଭିଡ ମଡେଲିଂ ଦାୟିତ୍ୱରେ ଥିବା ଏକ ସରକାରୀ ପ୍ୟାନେଲର ବୈଜ୍ଞାନିକ | ତେବେ ଦ୍ଵିତୀୟ ଲହରରେ ଦେଖାଦେଇଥିବା ଦୈନିକ ସଂକ୍ରମଣ ଅପେକ୍ଷା ତୃତୀୟ ଲହରରେ ଏହା କମ ରହିବ ବୋଲି ସେ କହିଛନ୍ତି |
ଯଦି, କରୋନା ଭୂତାଣୁର କୌଣସି ନୂଆ ଭାରିଆଣ୍ଟ ଚିହ୍ନଟ ହୁଏ, ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଅଧିକ ହୋଇପାରେ ବୋଲି କୋଭିଡ ମଡେଲିଂ ଦାୟିତ୍ୱରେ ଥିବା ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି | ତୃତୀୟ ତରଙ୍ଗର ଭବିଷ୍ୟବାଣୀକୁ ନେଇ ଅଗ୍ରୱାଲ କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ହରାଇବା, ଟିକାକରଣର ପ୍ରଭାବ ଏବଂ ନୂଆ ଭାରିଆଣ୍ଟ ଆସିବାର ସମ୍ଭାବନାକୁ ନେଇ ଆମେ ତୃତୀୟ ଲହର ବିଷୟରେ ଏବେଠାରୁ କହିପାରୁଛୁ, ଯାହା ଦ୍ୱିତୀୟ ତରଙ୍ଗର ମଡେଲିଂ କରିବା ସମୟରେ କରାଯାଇ ନଥିଲା।
ଆମେ ତିନୋଟି ଦିଗ ତିଆରି କରିଛୁ। ପ୍ରଥମରେ, ଆମେ ଅନୁମାନ କରୁଛୁ ଯେ ଅଗଷ୍ଟ ସୁଦ୍ଧା ଜୀବନ ସ୍ୱାଭାବିକ ହେବ ଏବଂ କୌଣସି ନୂତନ ମ୍ୟୁଟାଣ୍ଟ ଆସିବ ନାହିଁ | ଦ୍ଵିତୀୟ ଦିଗ ହେଉଛି, ଆମେ ଅନୁମାନ କରୁଛୁ ଯେ ଟିକାକରଣ ଆଶାଠାରୁ ୨୦ ପ୍ରତିଶତ କମ୍ ପ୍ରଭାବଶାଳୀ ହେବ ଏବଂ ତୃତୀୟ ଦିଗ ହେଉଛି ଅଗଷ୍ଟରେ ୨୫ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଏକ ନୂତନ ମ୍ୟୁଟାଣ୍ଟ ବିସ୍ତାର ହେବ | ତେବେ ୨୫ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଭାରିଆଣ୍ଟ ଡେଲଟା ପ୍ଲସ ନୁହେଁ ବୋଲି ସେ କହିଛନ୍ତି | କାରଣ ଡେଲଟା ପ୍ଲସ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠାରୁ କମ ସଂକ୍ରାମକ |