ଓଡ଼ିଶାର ୩ଜଣ କରୋନାର ୟୁକେ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେବା ସହ ମହାରାଷ୍ଟ୍ର ଏବଂ ପଞ୍ଜାବର ସ୍ଥିତି ସଙ୍ଗୀନ ବୋଲି କହିଛନ୍ତି।  ଦେଶରେ ଚିହ୍ନଟ ହେଉଥିବା କରୋନାର ନୂଆ ଷ୍ଟ୍ରେନ ମଧ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ୭୭୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୭୩୬ଜଣ ୟୁକେ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟରେ ୩ ଜଣ ଆକ୍ରାନ୍ତ ଓଡ଼ିଶାର ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରୁ ତଥ୍ୟ ମିଳିଛି। ଏ ନେଇ ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଆମେ ଏ ସଂପର୍କରେ ଅବଗତ ଅଛୁ। ଆଇସିଏମଆର ପକ୍ଷରୁ ହୋଇଥିବା ଜେନମ୍ ସିକୁଏନ୍ସିଂ ସମୟରେ ଏହି ତଥ୍ୟ ଆମପାଖକୁ ଆସିଥିଲା। ଲୋକେ ଭୟଭୀତ ହେବେ ବୋଲି ଆମେ ଏ ବିଷୟରେ ଜଣାଇ ନଥିଲୁ। ଡିସେମ୍ବରରୁ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ଉପରେ ଆମେ ନଜର ରଖିଥିଲୁ।

୭୩୬ଜଣ ୟୁକେ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହେବା ସହ ୩୪ଜଣ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ବ୍ରାଜିଲ୍ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ୧୦ଟି ଜାତୀୟ ଲାବୋରେଟୋରିରେ ସରକାରଙ୍କ ଦ୍ବାରା ଏହି ନମୁନାଗୁଡିକର ଜିନୋମ୍ ସିକ୍ୟୁଏନସିଂ କରାଯାଇଥିଲା। ଜିନୋମ୍ ସିକ୍ୟୁଏନସିଂ ପରେ କରୋନା ‌ଭିନ୍ନ ଭିନ୍ନ ଷ୍ଟ୍ରେନ ବିଷୟରେ ଜଣାପଡ଼ିଥିଲା ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ମହାରାଷ୍ଟ୍ର ଏବଂ ପଞ୍ଜାବରେ ସଂକ୍ରମଣ ସଂଖ୍ୟା ଅଧିକ ରହିଥିବା ବେଳେ ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ନେଇ  ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତିତ ଥିବା କହିଛି । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୧୦ଟି ଜିଲ୍ଲାରେ ମଧ୍ୟ ସଂକ୍ରମଣ ହାର ଅଧିକ ରହିଥିବା କହିଛି ମନ୍ତ୍ରାଳୟ। ଏହି ୧୦ଟି ଜିଲ୍ଲା ହେଉଛି ପୁଣେ, ନାଗପୁର, ମୁମ୍ବାଇ, ଥାନେ, ନାଶିକ, ଔରାଙ୍ଗାବାଦ, ବେଙ୍ଗାଲୁରୁ, ନାନ୍ଦେଡ, ଜାଲଗାଓଁ ଏବଂ ଅକୋଲା।

ତେବେ ୪୫ରୁ ୬୦ବର୍ଷ ବୟସର ଲୋକଙ୍କୁ ଟିକା ଦେବା ନେଇ ପ୍ରଶ୍ନ କରାଯିବା ପରେ ଏହାର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି ବୟସର ଲୋକମାନଙ୍କ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ଅଧିକ ରହିଥିବାରୁ ସରକାର ଏମାନଙ୍କୁ ପ୍ରଥମେ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ପ୍ରଥମ ଏବଂ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଥିବା ବେଳେ ଲୋକମାନେ ୪-୮ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ ନେଇପାରିବେ। କେବଳ କୋଭିସିଲ୍ଡ ପାଇଁ ଏହି ନିୟମ ଲାଗୁ ହେଉଛି।

ସମ୍ବନ୍ଧିତ ଖବର