ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଡେରାଡୁନ୍‌: ଆଜି ପ୍ରତ୍ୟୁଷରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି।

ଭୋର୍‌ ପ୍ରାୟ ୫.୦୩ ସମୟରେ ଉତ୍ତରକାଶୀର ତେହ୍‌ରି ଗର୍‌ୱାଲ୍‌ ଅଞ୍ଚଳରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା। ଅକ୍ଷାଂଶ ୩୦.୭୨ ଏବଂ ଦ୍ରାଘିମା ୭୮.୮୫ ‌ଅନ୍ତର୍ଗତ ଭୂଗର୍ଭର ୨୮ କି.ମି. ଅଭ୍ୟନ୍ତରରେ ଏହାର କେନ୍ଦ୍ରସ୍ଥଳ ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି।

ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଅଥବା କେହି ମୃତାହତ ହୋଇଥିବାର ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।

Image Courtesy of FMT

‘ମୋଡିଫାଏଡ୍‌ ମର୍କେଲି ଇଣ୍ଟେନ୍‌ସିଟି ସ୍କେଲ୍‌’ କହିବା ଅନୁସାରେ, ସମସ୍ତେ ଅନୁଭବ କରିପାରିବା ଭଳି ଯଥେଷ୍ଟ ଥିଲା ଏହି ଭୂମିକମ୍ପର ତୀବ୍ରତା।

‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ କହିଛି ଯେ, ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଘରକାନ୍ଥରୁ ପ୍ଲାଷ୍ଟର୍‌ ଖସିପଡ଼ିବା ଏବଂ କାଚ ସାମଗ୍ରୀ ଭାଙ୍ଗିଯିବାର ଦୃଷ୍ଟାନ୍ତ ରହିଛି।

ଉଲ୍ଲେଖଯୋଗ୍ୟ, ଗତସପ୍ତାହରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ସଂଘଠିତ ଭୂମିକମ୍ପ ଯୋଗୁଁ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟାନ୍ୟ ଉତ୍ତରାଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ସେହି ଦିନ ଉତ୍ତରାଖଣ୍ଡରେ ମଧ୍ୟ ୩.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର